ବିଜେପି ବିଧାୟକଙ୍କୁ ହତ୍ୟା କରିଛି ଦରଭା ଡିଭିଜନ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ଦନ୍ତେଵାଡା ଜିଲ୍ଲାରେ ନିର୍ବାଚନ ପୂର୍ବରୁ ନକ୍ସଲ ବଡ ଧରଣର ହମଲା କରିଥିଲେ।। ଏଥିରେ ଛତିଶଗଡର ଦନ୍ତେୱାଡା ବିଜେପି ବିଧାୟକ ସମେତ ୫ ଜଣ ଯବାନ ସହିଦ ହୋଇଥିଲେ। ତେବେ ଘଟଣାର ପ୍ରାୟ ଦୁଇ ଦିନ ପରେ ଏହି ଘଟଣାକୁ ସ୍ବୀକାର କରିଛି ନକ୍ସଲ ସଂଗଠନ। ଏହି ହତ୍ୟାକାଣ୍ଡକୁ ଦରଭା ଡିଭିଜନ ସଦସ୍ୟ ଭିଆଇଥିବା ନେଇ ପ୍ରେସ ବିବୃତ୍ତିରେ ସ୍ପଷ୍ଟ କରିଛନ୍ତି ସଚିବ ସାଇନାଥ। ସେ କହିଛନ୍ତି ଯେ, ବିଜେପି ଶାସନରେ ଆସିବା ଦିନ ଠାରୁ ମହିଳା, ମୁସଲମାନ, ଦଳିତ, ଆଦିବାସୀଙ୍କ ଉପରେ ଅତ୍ୟାଚାର କରିଆସୁଛି। ବୈଲାଡିଲା ଠାରେ ରହିଥିବା ଖଣିକୁ ବିକ୍ରି କରିଦିଆଗଲା ବୋଲି ନକ୍ସଲ ସଂଗଠନ ଅଭିଯୋଗ କରିଛି। ଜାଲଲି ଗ୍ରାମ ସଭା କରି ଆଦିବାସୀଙ୍କୁ ଠକିଛନ୍ତି ବିଜେପି ସରକାର। ଗତ ମାର୍ଚ୍ଚ ୨ ତାରିଖରେ ଏହା ବିରୁଦ୍ଧରେ ୨୦ ହଜାର ଆଦିବାସୀଙ୍କୁ ନେଇ ରାଲିର ଆୟୋଜନ କରାଯାଇଥିଲା। ପାହାଡ ଖୋଳି ପୁଞ୍ଜିପତି ମାନଙ୍କୁ ଖଣି ବିକ୍ରି କରିବା ଏବଂ ଆଦିବାସୀଙ୍କୁ ସେଠାରୁ ତଡିବା ଆରମ୍ଭ କରାଯାଇଥିଲା। ଏହାକୁ ପିଏଲଜିଏ ବିରୋଧ କରି ଆସୁଥିଲା। ତେଣୁ ପିଏଲଜିଏ ଏଭଳି ଘଟଣା ଘଟାଇବାକୁ ବାଧ୍ୟ ହୋଇଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଗତ ମାସରେ ଦନ୍ତେଵାଡାରେ ପୁଲିସ ପିଏଲଜିଏର ୫ ଜଣଙ୍କୁ ହତ୍ୟା କରିଥିଲେ। ଏହାର ପ୍ରତିଶୋଧ ନେଇଛୁ ବୋଲି ପ୍ରେମ ବିବୃତ୍ତିରେ ଉ‌େଲ୍ଲଖ କରାଯାଇଛି। ନୂତନ ଭାରତ ନାମରେ ବିଜେପି ହିନ୍ଦୁ ରାଷ୍ଟ୍ର କରୁଥିବାରୁ ଏହାକୁ ବିରୋଧ, ରାସ୍ତା ନିର୍ମାଣ, ପୁଲିସ ମୁତୟନକୁ ବିରୋଧ କରାଯାଇଛି। ସେହିପରି ଗୁଳି ବିନିମୟ ନାମରେ ନିରୀହ ଆଦିବାସୀଙ୍କୁ ହତ୍ୟା କରିବା ବନ୍ଦ, ସିଆରପିଏଫ ଏବଂ ଡିଆରଜି ଯବାନଙ୍କୁ ଛତିଶଗଡରୁ ତୁରନ୍ତ ହଟାଯାଉ, ଜଳ, ଜଙ୍ଗଲ ଓ ଜମି ପାଇଁ ଲଢେଇ ଜାରି ରହୁ ବୋଲି ସଚିବ ସାଇନାଥ ପ୍ରେସ ବିବୃତ୍ତିରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର