ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ଘଟଣା:୪ ନିଖୋଜଙ୍କ ଶବ ଉଦ୍ଧାର

ମାଲକାନଗିରି/ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଳା ଜଳଭଣ୍ଡାରରେ ଗତ ସୋମବାର ଦିନ ଦେଶୀ ଡଙ୍ଗା ବୁଡ଼ି ଯିବାରୁ ୪ଜଣ ନିଖୋଜ ରହିଥିଲେ। ଦୁଇ ଦିନ ଧରି ଖୋଜାଖୋଜି ସତ୍ତ୍ୱେ ନିଖୋଜ କୋରକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ଗାଁର ଦହନା ଶିଶା (୪୦), ରାଧିକା ଶିଶା (୨୫), ବୁଦୁରି ଶିଶା (୭୦) ଏବଂ ଦୁଇ ବର୍ଷର ଶିଶୁ ତୁଳସା ଶିଶାଙ୍କ ପତ୍ତା ମିଳୁନଥିଲା। ତେବେ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ଜଳଭଣ୍ଡାରର ଗଭୀର ଜଳ ମଧ୍ୟରୁ ୪ଜଣଙ୍କର ଶବ ଉଦ୍ଧାର କରାଯାଇଛି।
ସୂଚନାଯୋଗ୍ୟ, ଦୁଇ ତଳେ କେନ୍ଦୁଗୁଡା ଗ୍ରାମର ଦୁଇ ପରିବାରର ୭ଜଣ ସଦସ୍ୟ ଜଳଭଣ୍ଡାର ଆରପାରିରେ ଥିବା ଜମିକୁ ଚାଷ ପାଇଁ ଯାଇଥିଲେ। ଚାଷ କାମ ସାରିବା ପରେ ଘରକୁ ଫେରିବା ବାଟରେ ଭାରସାମ୍ୟ ହରାଇ ଡଙ୍ଗା ଓଲଟି ଯାଇଥିଲା। ୩ଜଣ ପହଁରି ପହଁରି ବହୁ କଷ୍ଟରେ କୂଳକୁ ଚାଲି ଆସିଥିଲେ। କିନ୍ତୁ ୨ବର୍ଷର ଶିଶୁ କନ୍ୟା ସହ ୩ଜଣ ମହିଳା ଜଳଭଣ୍ଡରରେ ବୁଡ଼ି ଯାଇଥିଲେ। ଖବର ପାଇ ପ୍ରଥମେ ଗ୍ରାମବାସୀ ସନ୍ଧାନ ଆରମ୍ଭ କରିଥିଲେ। ବିଫଳ ହେବାରୁ ଗତକାଲି ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଗତକାଲି ଦିନ ତମାମ ଅଗ୍ନିଶମ ବିଭାଗ କର୍ମଚାରୀ ସନ୍ଧାନ କରିଥିଲେ ବି ପତ୍ତା ପାଇ ନଥିଲେ। ଶେଷରେ ଆଜି ମାଲକାନଗିରି, କୋରୁକୋଣ୍ଡା, ବାଲିମେଳା, ଖଇରପୁଟ, ମାଥିଲି ଅଗ୍ନିଶମ ବିଭାଗ କର୍ମଚାରୀ ମିଳିତ ଭାବେ ସନ୍ଧାନ ଆରମ୍ଭ କରିଥିଲେ। ୪ଜଣଙ୍କ ଶବ ମିଳିବା ପରେ ଚିତ୍ରକୋଣ୍ଡାରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତୁରନ୍ତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର