ଚକଡା ଉଜାଡିଲା ଫସଲ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଚକଡା ଚଡକ। ଦୁଇ ଦିନ ତଳେ ଏମଭି-୯ ଗ୍ରାମର ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଥିଲା। ଆଜି ପୁଣି ଏମଭି-୧୧ ଗ୍ରାମର ଚାଷୀ ସମାନ ଅଭିଯୋଗ କରିଛନ୍ତି। ଗ୍ରାମର ବହୁ ଜମିରେ ଚକଡା ପୋକ ଲାଗି ଫସଲ ନଷ୍ଟ ହେବାରେ ଲାଗିଥିବା ଜଣାଯାଇଛି। ଚାଷୀ ଅର୍ଜୁନ ଗୌଡ, ସୁକ୍ରି ଗୌଡ, ଲୋକନାଥ ଖରା, ବିଶ୍ୱନାଥ ଗୌଡ ପ୍ରମୁଖ ଅଭିଯୋଗ କରିଛନ୍ତି ଯେ ଇତିମଧ୍ୟରେ ପ୍ରାୟ ୩୦ ଏକର ଚାଷ ଜମିରେ ପୋକ ଲାଗି ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇସାରିଲାଣି। ଟଙ୍କା ଋଣ ନେଇ ଚାଷ କରିଥିଲୁ। ଫସଲ ନଷ୍ଟ ହେବାରୁ କିଭଳି ଋଣ ପରିଶୋଧ ବୋଲି ଚାଷୀ ପ୍ରଶ୍ନ କରିଛନ୍ତି। ଏନେଇ କୃଷି ଉପନିର୍ଦେଶକ ପ୍ରଦୀପ କୁମାର ଦେଙ୍କୁ ପଚାରିବାରୁ ଉଚ୍ଚ ପଦାଧିକାରୀଙ୍କୁ ଅବଗତ କରାଇଥିବା କହିଥିଲେ। ଚାଷୀଙ୍କୁ ପୋକ ଲାଗିବା ପୂର୍ବରୁ ଔଷଧ ଦେବାକୁ ପରାମର୍ଶ ମଧ୍ୟ ଦିଆଯାଇଥିଲା।

ସେହିପରି ଧାନ ପାଚିବା ମାତ୍ରେ କାଟି ଦେବାକୁ କୁହାଯାଇଥିଲା। ବର୍ତମାନ ଯଦି ଚାଷୀ ଧାନ କାଟି ପାରୁନାହାନ୍ତି ତେବେ ତୁରନ୍ତ ଔଷଧ ସିଞ୍ଚନ କରିବାକୁ ଅବଗତ କରାଯାଇଛି। ଏହାସତ୍ୱେ ଯଦି ଫସଲ କ୍ଷତି ନେଇ ଅଭିଯୋଗ ଆସିବ ତାହାଲେ ତଦନ୍ତ କରାଯିବ ବୋଲି ପ୍ରକାଶ କରିଥିଲେ। ଅପରପକ୍ଷରେ କୃଷକ ସଂଗଠନ ପକ୍ଷରୁ ତୁରନ୍ତ ଚକଡା ଖାଇଥିବା କ୍ଷେତ ଗୁଡିକକୁ ତଦନ୍ତ କରାଯାଇ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ଦାବି କରାଯାଇଛି। ଏମଭି-୧୧ ଗ୍ରାମର ଚାଷୀମାନେ ମଧ୍ୟ ଚେତାବନୀ ଦେଇଛନ୍ତି ଯେ ସେମାନଙ୍କ କ୍ଷତିପୂରଣ ନମିଳିଲେ ସେମାନେ ଭବିଷ୍ୟତରେ ଚରମ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେବେ। ତେଣୁ କୌଣସି ଅଘଟଣ ଘଟିବା ପୂର୍ବରୁ ଜିଲ୍ଲା ପ୍ରଶାସନ ଏବଂ କୃଷି ବିଭାଗ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର