ପ୍ରଶାସନିକ ଅବହେଳାର ଶିକାର ଦିନବନ୍ଧୁ: ନିଯୁକ୍ତି ପତ୍ର ପାଇ ଚାକିରିରୁ ବଞ୍ଚିତ

ମାଲକାନଗିରି: ନିଯୁକ୍ତି ପତ୍ର ପାଇଥିଲେ ବି ଚାକିରିରୁ ବଞ୍ଚିତ ହେଲେ। ୫ବର୍ଷ ହେଲା ଗୁହାରି କରି ଚାଲିଛନ୍ତି। କିନ୍ତୁ କେହି ବି ତାଙ୍କ ଦୁଃଖ ଓ ଦୁର୍ଦଶା ଶୁଣୁନାହାନ୍ତି। ଶେଷରେ ବାଧ୍ୟ ହୋଇ ଆରମ୍ଭ କରିଛନ୍ତି ପ୍ରତିବାଦ। ସରକାରୀ ବିଧିବ୍ୟବସ୍ଥା କେତେ ମାରାତ୍ମକ ତ୍ରୁଟି କରି ଜଣେ ଯୁବକଙ୍କ ସହ ଭବିଷ୍ୟତ ସହ ଖେଳୁଛି ତାହାକୁ ପଦାରେ ପକାଇ ଦେଇଛନ୍ତି କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ଚାକୁଲି ଗ୍ରାମର ସୁରୁ ବାଗଙ୍କ ପୁଅ ଦୀନବନ୍ଧୁ।
୨୦୧୩ ମସିହାରେ ସେ ମାଲକାନଗିରିରେ ଅନୁଷ୍ଠିତ ହୋଇଥିବା ଆଇଆରବି-୭ ବାଟାଲିୟନରେ ସିପାହୀ ପାଇଁ ପରୀକ୍ଷା ଦେଇଥିଲେ। ଏଥିରେ କୃତକାର୍ଯ୍ୟ ମଧ୍ୟ ହୋଇଥିଲେ। ମାଲକାନଗିରି ପୋଲିସ ପ୍ରଶାସନ ତରଫରୁ ତାଂକୁ ନିଯୁକ୍ତି ପତ୍ର ମଧ୍ୟ ଦିଆଯାଇଥିଲା। ୨୦୧୩ ମସିହା ସେପ୍ଟେମ୍ବର ୧୭ ତାରିଖରେ ଚିଠି କରାଯାଇଥିଲା ଯେ ସେପ୍ଟେମ୍ବର ୩୦ ତାରିଖ କିମ୍ବା ଅକ୍ଟୋବର ୧ ତାରିଖ ମଧ୍ୟରେ ମାଲକାନଗିରି ଆଇଆରବି ନିକଟରେ ସମସ୍ତ କାଗଜପତ୍ର ନେଇ ଉପସ୍ଥିତ ରହିବେ। ଆପଣ ସିପାହୀ ରୂପେ ନିଯୁକ୍ତି ପାଇଛନ୍ତି। ନିଯୁକ୍ତି ପାଇବା ପରେ ଦିନବନ୍ଧୁ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ। ନିର୍ଧାରିତ ସମୟରେ ସମସ୍ତ କାଗଜପତ୍ର ସହ ମାଲକାନଗିରି ପହଞ୍ଚିଲେ। କିନ୍ତୁ ଏହାପରେ ଆରମ୍ଭ ହେଲା ସାଂଘାତିକ ଖେଳ। ତୁମର ସିପାହୀ ପଦବି ପାଇଁ ଆବଶ୍ୟକ ଉଚ୍ଚତା ନାହିଁ। ତେଣୁ ତୁମକୁ ନିଯୁକ୍ତି ଦିଆଯିବ ନାହିଁ ବୋଲି ଫେରାଇ ଦିଆଗଲା। ଯଦି ତାଙ୍କର ଉଚ୍ଚତା ନଥିଲା ତେବେ ପରୀକ୍ଷା ସମୟରେ କହିଁକି ସେହି ବିଷୟରେ କୁହାଗଲା ନାହିଁ। ସବୁ ସରିବା ପରେ ଏମିତି ଜଣେ ଯୁବକଙ୍କୁ ଫେରାଇ ଦେଇ ମାନସିକ ଚପଗ୍ରସ୍ତ କରାଯାଇଥିବା ଦିନବନ୍ଧୁ ଅଭିଯୋଗ କରିଛନ୍ତି। ବହୁ କାକୁତି ମିନତି କରିବା ପରେ ମଧ୍ୟ କେହି ତାଂକ କଥା ଶୁଣିଲେନି।
ପାଞ୍ଚ ବର୍ଷ କାଳ ଗୋଟିଏ ଅଫିସରୁ ଅନ୍ୟ ଅଫିସକୁ ଘୂରି ବୁଲି ବୁଲି ନୟାନ୍ତ ହେବା ପରେ ଆଜି ସେ ମାଲକାନଗିରିରେ ପହଞ୍ଚି ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ଅଭିନବ ପ୍ରତିବାଦ କରିଛନ୍ତି। ଲୋକେ ତାଙ୍କଠାରୁ ସବୁ କଥା ଶୁଣିବା ପରେ ସମବେଦନା ପ୍ରକାଶ କରିବା ସହ ସରକାରୀ ବିଧିବ୍ୟବସ୍ଥାକୁ ନେଇ ବି ସମାଲୋଚନା କରିଥିଲେ। ନିଯୁକ୍ତି ଅନେ୍ଵଷଣରେ ଏତେ ମାତ୍ରରେ ସେ ଚାପଗ୍ରସ୍ତ ଅଛନ୍ତି ଯେ ବର୍ତମାନ ମାନସିକ ସ୍ତରରେ ସଂପୂର୍ଣ୍ଣ ଭାଙ୍ଗି ଗଲେଣି। ଆଜି ସେ ଗଣମାଧ୍ୟମ ଆଗରେ ସବୁ ଚିଠି ଖୋଲି ଦେଖାଇଥିଲେ। ବର୍ତ୍ତମାନ ମାଲକାନଗିରିରେ ସିପାହୀ ନିଯୁକ୍ତି ଚାଲୁ ରହିଥିବାରୁ ସେ ମାଲକାନଗିରି ଆସି ଏଭଳି ପ୍ରତିବାଦ କରିଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର