ଆମ୍ବୁଲାନ୍‌ସରୁ ଗଞ୍ଜେଇ ଜବତ, ୫ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି ଗୋଟିଏ ଆମ୍ବୁଲାନ୍‌ସରୁ ଗଞ୍ଜେଇ ଜବତ ହୋଇଛି। ରାଜ୍ୟ ବାହାରର ଏହି ଆମ୍ବୁଲାନ୍‌ସରେ ୧୦୭କିଲୋ ଗଞ୍ଜେଇ ବିହାରକୁ ଚୋରା ଚାଲାଣ ହେଉଥିବା ଜଣାପଡ଼ିଛି। ପୁଲିସ ଏଥିରେ ସଂପୃକ୍ତ ୫ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ଅଭିଯୁକ୍ତଙ୍କ ମଧ୍ୟରୁ ୩ଜଣ ରାଜ୍ୟ ବାହାରର ହୋଇଥିବା ବେଳେ ୨ଜଣ ମାଲକାନଗିରି ଏବଂ ରାୟଗଡା ଜିଲ୍ଲାର ବୋଲି ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଗତକାଲି ରାତିରେ ଖଇରପୁଟ ପୁଲିସ ପକ୍ଷରୁ ପୋଡାଘାଟ ଠାରେ ୪୭ନମ୍ବର ରାଜ୍ୟ ରାଜପଥରେ ପାଟ୍ରୋଲିଂ ଚାଲିଥିଲା। ଏହି ସମୟରେ ପୁଲିସକୁ ସୂଚନା ମିଳିଥିଲା ଯେ, ଗୋଟିଏ ଆମ୍ବୁଲାନ୍‌ସରେ କ୍ୱିଣ୍ଟାଲରୁ ଊର୍ଧ୍ୱ ଗଞ୍ଜେଇ ଚୋରା ଚାଲାଣ ହେଉଛି। ଏହାପରେ ପୁଲିସ ନାକା ଲଗାଇ ଆମ୍ବୁଲାନ୍‌ସକୁ ଅପେକ୍ଷା କରିଥିଲା। ତେବେ ଦୂରରୁ ପୁଲିସ ଅପେକ୍ଷା କରିଥିବା ଦେଖି ଗାଡ଼ି ଚାଳକ ଅନ୍ୟ ରାସ୍ତାରେ ଚାଲି ଯିବାକୁ ଉଦ୍ୟମ କରିଥିଲା। ପୁଲିସ ଗାଡ଼ିର ପିଛା କରି କିଛି ଦୂରରେ ଅଟକାଇଥିଲା।
ପୁଲିସ କହିବା ଅନୁଯାୟୀ ଆମ୍ବୁଲେନସରେ ଗଂଜେଇ ଚାଲାଣ କରାଯାଉଥିବା ବେଳେ ଏହି ଗାଡିକୁ ପାର କରିବା ପାଇଁ ଗୋଟିଏ ଟାଟା ଜେନୋନ ଗାଡି ଆଗରେ ଚାଲୁଥିଲା। ପୁଲିସ ଏହି ଗାଡିକୁ ମଧ୍ୟ ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି। ଆମ୍ବୁଲାନସ ମଧ୍ୟରୁ ମୋଟ ୧୦୭ କିଲୋ ଗଂଜେଇ ଜବତ କରି ରାୟଗଡା ଜିଲ୍ଲା ମିଗ-୨୧, ହାଉସିଂ ବୋର୍ଡର ମୁନ୍ନା କୁମାର ୟାଦବ(୨୨), ନୂଆଦିଲ୍ଲୀର ରଜତ ଜୟନ୍ତ ହାଲଦାର (୨୪), ମୁକେଶ କୁମାର ଚୌରାଶିଆ (୨୬), ଅନୁପ କୁମାର (୨୭) ଏବଂ ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ କୁମ୍ଭାରଗୁଡା ଗ୍ରାମର ବୁଦୁ ଖେମୁଡୁ(୩୦)କୁ ଗିରଫ କରାଯାଇଥିଲା। ଏମାନେ ଚିତ୍ରକୋଣ୍ଡାରୁ ଗଞ୍ଜେଇ କିଲୋ ପିଛା ୧୭୦୦ ଟଂକାରେ କିଣି ବିହାରରେ ୧୨ ହଜାର ଟଂକାରେ ବିକ୍ରି କରିବା ପାଇଁ ଯୋଜନା କରିଥିଲେ। ବୁଦୁ ଖେମୁଡୁ ହିଁ ଏମାନଙ୍କୁ ପାଇଲଟିଂ କରିବା ପାଇଁ ଗାଡି ଯୋଗାଇ ଦେଇଥିଲା। ଅନ୍ୟ ତିନି ଜଣ ଅଭିଯୁକ୍ତ ନୂଆଦିଲ୍ଲୀରୁ ମାଲକାନଗିରି ଆସି ଗଞ୍ଜେଇ ବିହାରକୁ ଚାଲାଣ କରିବା ପାଇଁ ଯୋଜନା କରିଥିଲେ। ଏଠାରେ ଶସ୍ତାରେ ଗଞ୍ଜେଇ କିଣି ବିହାରରେ ଚଢା ଦରରେ ବିକ୍ରି କରିବାରୁ ଯୋଜନା କରିଥିଲେ।

ସମ୍ବନ୍ଧିତ ଖବର