ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୪ ଗିରଫ

ବାଲିମେଳା: ମାଲକାନଗିରି ଜିଲ୍ଲାର ଓର୍କେଲ ପୁଲିସ ଗଞ୍ଜେଇ ଚୋରାଚାଲାଣ ଅଭି‌ଯୋଗରେ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ଗତ ଶୁକ୍ରବାର ରାତିରେ ଓର୍କେଲ ଥାନା ଏସ୍ଆଇ ନୀଳାଦ୍ରି ଚରଣ ବିଶ୍ବାଳ ନିଜ ଟିମ୍ ସହ ବାଲିମେଳା ଛକ ନିକଟରେ ଯାନବାହାନ ଯାଞ୍ଚ କରୁଥିଲେ। ଏହି ସମୟରେ ଚିତ୍ରକୋଣ୍ଡା ଡାଇକ୍-୩ ରାସ୍ତା ଦେଇ ଆସୁଥିବା ଜଣେ ବାଇକ୍‌ ଚାଳକଙ୍କୁ ପୁଲିସ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲା। ବାଇକ୍‌ରେ ବନ୍ଧା ହୋଇଥିବା ଏକ ବସ୍ତାରେ ଗଞ୍ଜେଇ ଥିବା ଜାଣିବା ପରେ ପୁଲିସ ଗଞ୍ଜେଇ ଜବତ କରିବା ସହ ବାଇକ୍ ଚାଳକ ମାଲକାନଗିରି ଥାନା ଅନ୍ତର୍ଗତ ସାରିଆପାଲୀ ଗ୍ରାମର ପୂର୍ଣ୍ଣ ଡୁରୁକା(୨୯)ଙ୍କୁ ଗିରଫ କରିଥିଲା। ପରେ ପୂର୍ଣ୍ଣଙ୍କୁ ଥାନାକୁ ନେଇ ପଚରାଉଚରା କରିବା ପରେ ଗଞ୍ଜେଇ କାରବାରରେ ଆଉ ୩ଜଣ ସଂପୃକ୍ତ ଥିବା ସେ ପୁଲିସ ସମ୍ମୁଖରେ କହିଥିଲା। ପୂର୍ଣ୍ଣଙ୍କ ବୟାନକୁ ଆଧାର କରି ପୁଲିସ ବାଲିମେଳା ନିକଟସ୍ଥ ଝାରିଗୁଡା ଗ୍ରାମରେ ଚଢ଼ାଉ କରି ଉତ୍ତର ପଶ୍ଚିମ ଦିଲ୍ଲୀ ନଲ୍ଲା ଥାନା ଅଞ୍ଚଳର ମହମ୍ମଦ ନିଜାମ, ବେଦାରୁଲ ଶେକ୍ ଓ ସଂଜୟ ପାଶୱାନଙ୍କୁ ଗିରଫ କରିଥିଲା। ପୁଲିସ ଜବତ କରିଥିବା ଗଞ୍ଜେଇର ଓଜନ ୫୨କିଲୋ ୫ଶହ ଗ୍ରାମ ଏବଂ ଏହାର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା ହେବ ବୋଲି ତଦନ୍ତକାରୀ ଅଧିକାରୀ ରଜନୀକାନ୍ତ ଦୀପ ସୂଚନା ଦେଇଛନ୍ତି। ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ୪ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଜଗଦୀଶ ବାରା ସୂଚନା ଦେଇଛନ୍ତି। ଏହି ‌ଗଞ୍ଜେଇ ଚିତ୍ରକୋଣ୍ଡା ଅଞ୍ଚଳରୁ ମାଲକାନଗିରି ଦେଇ ଦିଲ୍ଲୀ ଚାଲାଣ ହେବାର ଯୋଜନା ରହିଥିଲା ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର