ଛାତ୍ରୀ ଅସଦାଚରଣ ଘଟଣା:ପକ୍ଷ ରଖିଲେ ଅଭିଯୁକ୍ତ: ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସୁଛି: ଡିଏସପି

ମାଥିଲି ଥାନାରେ ୨ ଅଭିଯୁକ୍ତ ଏବଂ ଅଧ୍ୟାପକ

ମାଲକାନଗିରି: ସପ୍ତାହେ ଧରି ଚର୍ଚ୍ଚାର ବିଷୟ ପାଲଟିଥିବା ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ଏସ୍‌ଏସଡି କଲେଜ ଛାତ୍ରୀ ଅସଦାଚରଣ ଘଟଣାରେ ପୁଲିସକୁ ବହୁ ଚଞ୍ଚଲ୍ୟକର ତଥ୍ୟ ମିଳିଛି। ଯଦିଓ ପୁଲିସ ଏନେଇ ବର୍ତମାନ କିଛି କହିବାକୁ ମନା କରି ଦେଇଛି। କିନ୍ତୁ ଖୁବ୍‌ଶୀଘ୍ର ଅସଲ ଘଟଣା କ’ଣ, କାହିଁକି ଏମିତି ଅଭିଯୋଗ ହେଲା, ଏହା ପଛରେ କିଏ ସବୁ ରହିଛନ୍ତି ତାହର ପର୍ଦାଫାସ କରିବ ବୋଲି ସ୍ପଷ୍ଟ କରିଛି। ଘଟଣାଟି ବର୍ତମାନ ନାଟକୀୟ ମୋଡ ନେଉଛି। ତଦନ୍ତ ଭାର ଡିଏସପି ମାନସ ବାରିକ ନେବା ପରେ ଦୁଇ ଅଭିଯୁକ୍ତଙ୍କୁ ଫୋନ କରି ଡକାଇଥିଲେ। ଅଭିଯୁକ୍ତମାନେ ମଧ୍ୟ ବିଳମ୍ବ ନକରିି ପୁଲିସ ନିକଟରେ ପହଞ୍ଚିଥିଲେ। ଗତକାଲି ରାତିରେ ପୁଲିସ ସେମାନଙ୍କୁ ପଚରା ଉଚୁରା କରିଥିଲା। ଦୁହେଁ ଘଟଣା ସଂପର୍କରେ ପୂରା ତଥ୍ୟ ପୁଲିସକୁ ଦେଇଥିଲେ। ଏପରିକି ପୁଲିସକୁ ସେମାନେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି କହିଥିବା ଜଣାପଡିଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ଦ୍ୱୟ ଏହି ଘଟଣାରେ ଆଦୌ ସଂପୃକ୍ତ ନଥିବା କହିଥିଲେ। ସେମାନଙ୍କୁ ଷଡଯନ୍ତ୍ର କରି ଫସାଇ ଦିଆଯାଇଛି। ନିରପେକ୍ଷ ତଦନ୍ତରେ ସବୁ ସତ ପଦାକୁ ଆସିବ ବୋଲି କହିଥିବା ଜଣାପଡିଛି। ବର୍ତ୍ତମାନ ମାଥିଲି ଥାନାରେ ଅଭିଯୁକ୍ତ ଦ୍ୱୟ ଅଟକ ଥିବା ବେଳେ ଜଣେ ଅଧ୍ୟାପକ ମଧ୍ୟ ସେଠାରେ ଅଛନ୍ତି।
ଏହି ଘଟଣାରେ ପୁଲିସକୁ ମିଳି ସାରିଲାଣିି ବହୁ ଚାଞ୍ଚଲ୍ୟକର ତଥ୍ୟ। ଯାହାକୁ ପୁଲିସ ଅତିଶୀଘ୍ର ପ୍ରକାଶ କରିବ ବୋଲି କହିଛିି। କଲେଜରୁ ସମସ୍ତ କାଗଜପତ୍ର ଜବତ କରିବା ପରେ ଘଟଣା ସହ ସଂପୃକ୍ତ ଅଧ୍ୟାପକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଧ୍ୟାପକ ଜଣକ ପୁଲିସକୁ କ’ଣ କହିଛନ୍ତି ତାହାକୁ ଗୋପନ ରଖାଯାଇଛି। ଛାତ୍ରୀଙ୍କ କହିବା ହେଲା କଲେଜ ପରିସରରେ ଘଟଣା ଘଟିଲା। ତାଙ୍କୁ ଜୋର ଜବରଦସ୍ତ ଟେକି ନେଇଥିଲେ ଅଭିଯୁକ୍ତ। କଲେଜରେ ଏମିତି ଘଟଣା ଘଟିଲା ଅଥଚ କଲେଜର ଅନ୍ୟ କେହି କେମିତି ତାହା ଜାଣିପାରିଲେ ନାହିଁ। ତାହାକୁ ନେଇ ପୁଲିସ ତଦନ୍ତ କରୁଛି। ସେହିପରି ଅଧ୍ୟାପକ ଜଣକ ସେଠାରେ କେମିତି ପହଞ୍ଚିଲେ ଜାଣିବାକୁ ଚେଷ୍ଟା କରୁଛି ପୁଲିସ। ଡିଏସପି ଶ୍ରୀ ବାରିକ ମାଗିଥିବା ୪୮ଘଣ୍ଟା ମହଲତ ମଧ୍ୟରୁ ଆଉ ମାତ୍ର ୨୪ ଘଣ୍ଟା ବାକି ରହଛି। ଏପର୍ଯ୍ୟନ୍ତ ପୁଲିସକୁ କ’ଣ ତଥ୍ୟ ମିଳିଛି ସ୍ପଷ୍ଟ ଜଣାପଡିନି। ତେବେ ଯଥା ସମୟରେ ମାମଲା ଉପରୁ ପରଦା ହଟାଇବେ ବୋଲି ଡିଏସପି କହିଛନ୍ତି। ସେପଟେ ଛାତ୍ରୀ ସିଡବ୍ଲୁସି ହେପାଜତରେ ରହି ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର