ଗୁରୁପ୍ରିୟା ସେତୁ ନିର୍ମାଣ ଶେଷ: ବିଚ୍ଛିନ୍ନାଞ୍ଚଳକୁ ଛୁଇଁବ ବିକାଶ

ମାଲକାନଗିରି: ଏଣିକି ଲଞ୍ଚ କିମ୍ବା ବୋଟ୍‌ ଉପରେ ନିର୍ଭର କରିବାକୁ ପଡିବ ନାହିଁ। ସ୍ୱାଧୀନତାର ଦୀର୍ଘ ଦିନ ପରେ ବିଚ୍ଛିନ୍ନାଞ୍ଚଳବାସୀ ଯୋଗାଯୋଗ ପାଇଁ ସିଧାସଳଖ ସୁଯୋଗ ପାଇପାରିବେ। ଦୀର୍ଘ ବର୍ଷର ଅପେକ୍ଷା ପରେ ଜିଲ୍ଲାର ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ ସମାପ୍ତ ହୋଇଛି। ସେତୁର ରଂଗ ଦିଆ କାର୍ଯ୍ୟ ଶେଷ ହେବା ପରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ହେବ।
ବିଚ୍ଛିନ୍ନାଞ୍ଚଳର ୯ଟି ପଞ୍ଚାୟତର ୧୫୧ ଗ୍ରାମରେ ବାସ କରୁଥିବା ପ୍ରାୟ ୩୦ ହଜାରରୁ ଊଦ୍ଦ୍ଵର୍ ଲୋକେ ସବୁଦିନିଆ ରାସ୍ତା, ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା ଇତ୍ୟାଦି ନିଜ ଘର ପାଖରେ ପାଇବେ। ୨୦୧୪ ମସିହାରୁ ଆରମ୍ଭ ହୋଇଥିବା ଗୁରୁପ୍ରିୟା ସେତୁ ନିର୍ମାଣ ବହୁ ଘାତପ୍ରତିଘାତ ମଧ୍ୟରେ ଆରମ୍ଭ ହୋଇଥିଲା । ସେତୁ କାର୍ଯ୍ୟ ୨ ବର୍ଷରେ ସରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ବିଭିନ୍ନ ବାଧାବିଘ୍ନ ଦେଇ ଧାର୍ଯ୍ୟ ସମୟର ୭ ମାସ ପରେ ସମାପ୍ତ ହୋଇଛି। ବିଳମ୍ବରେ ହେଲେ ମଧ୍ୟ ସେତୁ କାର୍ଯ୍ୟ ସମାପ୍ତ ଖବର ପ୍ରଚାର ପରେ ବିଛିନ୍ନାଞ୍ଚଳବାସୀ ଆଶ୍ୱସ୍ତ ଲାଭ କରିଛନ୍ତି। ଗୁରୁପ୍ରିୟା ସେତୁର ପୂର୍ଣ୍ଣାଙ୍ଗ ପାଇଁ ସରକାରୀ ସ୍ତରରେ ଯେଭଳି ତତ୍ପରତା ପାଇଥିଲେ ହେଁ ବିଭିନ୍ନ କାରଣରୁ ଏହା ସଂପୂର୍ଣ୍ଣ ହେବାରେ ବିଳମ୍ବ ହୋଇଥିଲା। ଏଭଳିକି ସେତୁକୁ ନେଇ ନାନା ପ୍ରଶ୍ନ ଉଠିଥିଲା କେବଳ ରଂଗଦିଆ କାର୍ଯ୍ୟ ସମାପ୍ତ ହେଲେ ସେତୁ କାର୍ଯ୍ୟ ଶେଷ ହେବ ବୋଲି ବିଭାଗ ସୂତ୍ରରୁ ସୂଚନା ମିଳିଛି । ଦୀର୍ଘ ୫୦ ବର୍ଷରୁ ଊର୍ଧ୍ୱ ସମୟଧରି ଲୋକେ ଲଞ୍ଚ ଏବଂ ବୋଟରେ ବାଲିମେଳା ଜଳଭଣ୍ଡାର ଦେଇ ଯାତାୟତ କରୁଥିବା ବେଳେ ଏବେ ସେହି ବୋଟ ଓ ଲଞ୍ଚର ଅବସର ସମୟ ଆସିଯାଇଛି। ବିଛିନ୍ନାଞ୍ଚଳବାସୀ ଯାନବାହାନରେ ଯାତାୟତ କରିବେ ଏବଂ ପୂର୍ବଭଳି ବିପଦପୂର୍ଣ୍ଣ ଯାତାୟତର ପୂର୍ଣ୍ଣଛେଦ ପଡିବ ବୋଲି ବିଛିନ୍ନାଞ୍ଚଳର ଭୀମା କାବାସି ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର