ଗୁରୁପ୍ରିୟା ସେତୁ ସୁରକ୍ଷା ବଢ଼ିଲା:୨୪ଘଣ୍ଟା ପହରା ଦେଉଛନ୍ତି ଯବାନ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବହୁ ପ୍ରତିକ୍ଷୀତ ସେତୁ ଗୁରୁପ୍ରିୟା ସେତୁକୁ ନେଇ ପୁଣି ଚର୍ଚ୍ଚା। ଏଥର ସେତୁର ସୁରକ୍ଷାକୁ ନେଇ ଚର୍ଚ୍ଚା। ଆରମ୍ଭରୁ ହିଁ ଏହି ପୋଲକୁ ନକ୍ସଲ ବିରୋଧ କରି ଆସୁଥିଲେ। ଅନେକ ସମୟରେ ସେତୁ ହେଲେ ସୁରକ୍ଷା ବାହିନୀ ଗାଁରେ ପଶି ଲୋକଙ୍କୁ ଅତ୍ୟାଚାର କରିବେ ବୋଲି କହିଲେ। ଏପରିକି ବିଚ୍ଛିନ୍ନାଞ୍ଚଳବାସୀଙ୍କ ବି ବହୁବାର ଉସୁକାଇଥିବାର ନଜିର ରହିଛି। ହେଲେ ଏହି ସେତୁ ସଂପୂର୍ଣ୍ଣ ହୋଇଗଲେ ବିଛିନ୍ନାଞ୍ଚଳରେ ରହିଥିବା ୧୫୧ଟି ଗ୍ରାମର ଲାଇଫ ଲାଇନ ପାଲଟିବ। ବିକାଶର ଧାରା ପହଞ୍ଚି ନକ୍ସଲଙ୍କ ଦମନଲୀଳା ଆଉ ଚାଲିବ ନାହିଁ। ଯାହାକୁ ନେଇ ନକ୍ସଲ ଚିନ୍ତାରେ ରହିଛନ୍ତି। ତେଣୁ ଗୁରୁପ୍ରିୟା ସେତୁକୁ ଟାର୍ଗେଟ କରିଛନ୍ତି ନକ୍ସଲ। ହେଲେ ଏହି ଯୋଜନାରେ ସେମାନେ ଏପର୍ଯ୍ୟନ୍ତ ସଫଳ ହୋଇପାରି ନାହାନ୍ତି। କାରଣ ସେତୁର ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ବିଏସଏଫ ଯବାନ। ସେତୁର ଦୁଇ ପଟେ ୨୪ଘଣ୍ଟା ପହରା ଦେଉଛନ୍ତି।
ବିଚ୍ଛିନ୍ନାଞ୍ଚଳବାସୀଙ୍କ ଦୀର୍ଘ ୪୫ବର୍ଷର ସ୍ୱପ୍ନ ଅଳ୍ପ ଦିନ ମଧ୍ୟରେ ପୂରଣ ହେବାକୁ ଯାଉଛି। କିନ୍ତୁ ଲୋକଙ୍କ ଏହି ସ୍ୱପ୍ନର ସେତୁକୁ ଧୂଳିସାତ କରିବାକୁ ଯୋଜନାରେ ରହିଛନ୍ତି ମାଓବାଦୀ। ତେଣୁ ସେତୁର ସୁରକ୍ଷା ଦେବାକୁ ବିଏସଏଫ ମୁତୟନ ହୋଇଥିବା ବେଳେ ରାଜ୍ୟ ପୁଲିସ ପକ୍ଷରୁ ଏସଓଜି ଏବଂ ଡିଭିଏଫ ଏହି ଅଂଚଳରେ କମ୍ବିଂ ଜାରି ରଖିଛନ୍ତି। ଯାହାର ନେତୃତ୍ୱ ନେଉଛନ୍ତି ଏସପି ନିଜେ। ନକ୍ସଲଙ୍କ ସମସ୍ତ ଗତିବିଧି ଉପରେ କଡା ନଜର ରଖାଯାଇଛି। ବାଲିମେଳା ଜଳଭଣ୍ଡାରରେ ବିଏସଏଫ ବୁଲେଟ ପ୍ରୁଫ ବୋଟରେ ପଇଁତରା ମାରୁଛନ୍ତି। ଗୁଇନ୍ଦା ବିଭାଗକୁ ମଧ୍ୟ ସଜାଗ କରାଯାଇଛି। ସେତୁ ସଂପୂର୍ଣ୍ଣ ହୋଇଗଲେ ଲୋକେ ସର୍ବନିମ୍ନ ମୌଳିକ ସୁବିଧା ପାଇବେ। ଆଉ ମାଓ ସଂଗଠନକୁ ସମର୍ଥନ କରିବେ ନାହିଁ। ଯାହାକି ଏବେ ନକ୍ସଲ ସଂଗଠନ ପାଇଁ ଚିନ୍ତାର କାରଣ ହୋଇଛି। ପୁଣି ସୁରକ୍ଷାକୁ ମଧ୍ୟ ବିଛିନ୍ନାଞ୍ଚଳରେ କଡାକଡି କରାଯିବ। ଆଗକୁ ନିର୍ବାଚନ ମଧ୍ୟ ହେବ। ନିର୍ମାଣ ଦିନ ଠାରୁ ହିଁ ଠିକା କଂପାନିକୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦିଆଯାଇଛି। ତେଣୁ ଏତେଦିନ ପର୍ଯ୍ୟନ୍ତ ନକ୍ସଲ କୌଣସି ଅଘଟଣ ଘଟାଇବାରେ ସକ୍ଷମ ହେଉ ନାହାନ୍ତି। ଅନ୍ୟପଟେ ସୁରକ୍ଷା ମିଳିଥିବାରୁ ଠିକା କଂପାନି ବି ସୁରୁଖୁରୁରେ ନିଜ କାମକୁ ଜାରି ରଖିଛି। ଏଭଳି ସ୍ଥିତିରେ ଲୋକଙ୍କ ସମର୍ଥନ ପାଇ ହିଂସାକାଣ୍ଡ କରୁଥିବା ନକ୍ସଲ କ’ଣ କରିବେ ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର