ଏକାକୀ ଖୋଳିଲେ ପୋଖରୀ, ୨୭ ବର୍ଷ ଲାଗିଲା

ମାଲକାନଗିରି: ସଂକଳ୍ପ କଲେ ସବୁ ସମ୍ଭବ ହୋଇଯାଏ। ଏହି ଉକ୍ତିଟିକୁ ପ୍ରତିପାଦିତ କରିପାରିଛନ୍ତି ପଡୋଶୀ ଛତିଶଗଡର ରେକୋରିଆ ଜିଲ୍ଲା ଅନ୍ତର୍ଗତ ଚିରମିରି ନଗର ପାଳିକା ସଜାପାହଡ ଗ୍ରାମର ଶ୍ୟାମଲାଲ। ଗ୍ରାମରେ ପୋଖରୀ ନଥିବାରୁ ଲୋକେ ପାଣି ମୁନ୍ଦାଏ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ପଞ୍ଚାୟତ ଠାରୁ ଆରମ୍ଭକରି ରାଜ୍ୟ ସରକାରଙ୍କ ନିକଟରେ ଗୁହାରି କରି ଥକି ଯାଇଥିଲେ। ଗ୍ରାମର ଗାଈଗୋରୁ କିମ୍ବା ଲୋକଙ୍କ ଗାଧୋଇବା ତୁଠ ନଥିବାରୁ ଲୋକେ ସବୁବେଳେ ଏହାକୁ ନେଇ ଚିନ୍ତିତ ରହୁଥିଲେ।

ତେବେ ଶ୍ୟାମଲାଲ ଏସବୁ ଆଲୋଚନାରୁ ଦୂରେଇ ଯାଇ ନିଜେ ଏକ ପୋଖରୀ ଖୋଳିବେ ବୋଲି ନିଷ୍ପତ୍ତି ନେଲେ। ପ୍ରତିଦିନ ଶ୍ୟାମଲାଲ ଏକୁଟିଆ ପୋଖରୀ ଖନନ କରିବା ଆରମ୍ଭ କରିଥିଲେ। ଏକ ଅସାଧ୍ୟ କାମକୁ ସେ ସଫଳ କରିବାକୁ ବାହାରି ପଡିଥିଲେ। ୨୭ବର୍ଷ ତଳେ ପୋଖରୀ ଖୋଳିବା ଆରମ୍ଭ କରିଥିଲେ। ଏଥିପାଇଁ ଅକ୍ଳାନ୍ତ ପରିଶ୍ରମ ମଧ୍ୟ କରିଥିଲେ। ଗ୍ରାମବାସୀ ତାଙ୍କୁ ଦେଖି ପରିହାସ କରିଥିଲେ। କିନ୍ତୁ ପୋଖରୀ ଖନନ ହେବାପରେ ବର୍ତମାନ ସାଧାରଣ ଲୋକଙ୍କ କାମରେ ଆସୁଛି। ଗୃହପାଳିତ ପଶୁଙ୍କ ପାଇଁ ଏହି ପୋଖରୀ ଏବେ ଜୀବନ ଭଳି ପ୍ରମାଣିତ ହେଉଛି। କହିବାକୁ ଗଲେ ସଜାପାହଡ ଗ୍ରାମଟି ବହୁ ସମସ୍ୟା ଦେଇ ଗତି କରୁଛି।

ଏହି ଗ୍ରାମକୁ ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଯିବା ଆସିବା ପାଇଁ ସ୍ଥାୟୀ ରାସ୍ତା ନାହିଁ। ଏହାଠୁ ବଳିଯାଇଥିଲା ଗ୍ରାମରେ ଜଳକଷ୍ଟ। ଯାହାକୁ ସୁଧାରିବା ପାଇଁ ଶ୍ୟାମଲାଲ ନିଜେ ଅଣ୍ଟା ଭିଡିଥିଲେ। ଯେତେବେଳେ ଶ୍ୟାମଲାଲକୁ ୧୫ ବର୍ଷ, ସେତେବେଳେ ସେ ଗାଈଗୋରୁଙ୍କୁ ଚରାଇବା ପାଇଁ ନେଉଥିଲେ। ତେବେ ଗାଈଗୋରୁ ପାଣି ପାଇଁ ହନ୍ତସନ୍ତ ହେଉଥିବା ସେ ଦେଖିଥିଲେ। ପାଣି ସମସ୍ୟା ନେଇ ଗ୍ରାମବାସୀ ଭଳି ଶ୍ୟାମଲାଲ ମଧ୍ୟ ଚିନ୍ତା କରୁଥିଲେ। ସେ ପ୍ରତିଦିନ ଗାଈଗୋରୁ ଚରାଇବାକୁ ଯିବା ବେଳେ ଗାଈଗୋରୁଙ୍କୁ ଛାଡି ଦେଇ ପୋଖରୀ ଖୋଳିବାରେ ଲାଗି ପଡନ୍ତି। ଲୋକଙ୍କ ପରିହାସରେ ଶ୍ୟାମଲାଲ ବିଚଳିତ ନହୋଇ ପୋଖରୀ ଖୋଳିବାରେ ଲାଗି ପଡିଥିଲେ ଏବଂ ଶେଷରେ ସଫଳ କରି ଦେଖାଇଥିଲେ। ଏହି ଖବର ସ୍ଥାନୀୟ ବିଧାୟକ ଶ୍ୟାମ ବିହାରୀ ଜୟଶ୍ୱାଲଙ୍କ ନିକଟରେ ପହଞ୍ଚିଲା। ସେ ତୁରନ୍ତ ଶ୍ୟାମଲାଲଙ୍କୁ ଭେଟି କାମକୁ ପ୍ରଶଂସା କରିବା ସହ ୧୦ହଜାର ଟଙ୍କା ଉପହାର ସ୍ୱରୂପ ପ୍ରଦାନ କରିଥିଲେ। ଏହାକୁ ନେଇ ଏବେ ଛତିଶଗଡ ଏବଂ ଓଡିଶାରେ ବେଶ ଚର୍ଚ୍ଚା ପାଲିଟିଛି।

ସମ୍ବନ୍ଧିତ ଖବର