ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପଟେରୁ ଓ ସତୀଗୁଡା ଭଳି ଦୁଇଟି ବୃହତ ଓ ମଧ୍ୟମ ମାଟିବନ୍ଧ ଯୋଜନା ରହିଛି। ଏହି ମାଟିବନ୍ଧ ଯୋଜନା ଦ୍ବାରା ଚାଷ ଜମିକୁ ଜଳସେଚନ ସୁବିଧା କରାଯାଇପାରୁଛି। କିନ୍ତୁ ଗ୍ରୀଷ୍ଣ ଋତୁର ପ୍ରଚଣ୍ଡ ଉତ୍ତାପ ଯୋଗୁଁ କୃଷି ପାଇଁ ଜଳ ଯୋଗାଇବା ଏକ ପ୍ରକାର ଅସମ୍ଭବ ହୋଇପଡୁଛି। କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଖରାଦିନିଆ ପରିପରିବା ଚାଷ ପାଇଁ ଏହା ସଂପୂର୍ଣ୍ଣ ବିଫଳ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜିଲ୍ଲାର କେତେକ ସ୍ଥାନରେ ଉଠା ଜଳସେଚନ ଦ୍ବାରା ଚାଷୀମାନେ ଭେଣ୍ଡି, ବାଇଗଣ, ପୋଟଳ, କାକୁଡି, ତରଭୁଜ ଭଳି ପରିବା ଲଗାଇବା ସହ ବେଶ ଦିପଇସା ଲାଭ ପାଇଥାନ୍ତି। ତେବେ ଗ୍ରୀଷ୍ମ ଋତୁରେ ପରିବା ସୀମିତ ହୋଇଥିବାରୁ ବାହାର ରାଜ୍ୟରୁ ପନିପରିବା ଆମଦାନୀ କରାଯାଇଥାଏ। ଫଳରେ ସ୍ଥାନୀୟ ପନିପରିବା ଦରରେ ବୃଦ୍ଧି ଘଟିଥାଏ। ବିଶେଷକରି ମାଲକାନଗିରି ଜିଲ୍ଲାକୁ କୋରାପୁଟ ଜିଲ୍ଲା ଏବଂ ଆନ୍ଧ୍ରରୁ ପନିପରିବା ଆସିଥାଏ। ଏବେ ମାଲକାନଗିରି ଜିଲ୍ଲାରେ ପନିପରିବା ଦର ଆକାଶ ଛୁଆଁ ହୋଇଛି। ଗ୍ରାହକମାନେ ଟମାଟ ଦେହରେ ହାତ ମାରି ପାରୁନାହାନ୍ତି। ଏବେ ଲୋକେ ବିନା ଟମାଟରେ ରୋଷେଇ ଆରମ୍ଭ କଲେଣି। ସଦର ମହକୁମାରେ ପନିପରିବା ଦର ଦିନକୁ ଦିନ ଆକାଶ ଛୁଆଁ ହେଉଥିବା ବେଳେ ବର୍ଦ୍ଧିତ ଦରକୁ ନେଇ ଖାଉଟି ହନ୍ତସନ୍ତ ହେଲେଣି। ଏବେ ଦୈନିକ ବଜାରରେ ଟମୋଟ କିଲୋ ୭୦ ଟଙ୍କା ଛୁଇଁଥିବା ବେଳେ ଫୁଲକୋବି ଦର ୬୦ରୁ ୮୦, କାଙ୍କଡ ୬୦ରୁ ୮୦, ବାଇଗଣ କିଲୋ ପ୍ରତି ୫୦, କଲରା ୫୦ ଟଙ୍କା ଏବଂ ଅଦା ଦର କିଲୋ ୧୬୦ ଟଙ୍କା ରହିଛି। ପନିପରିବା ଦର ଦିନକୁ ଦିନ ବଢୁଥିବା ବେଳେ ଏଥିପ୍ରତି କେହି ଦୃଷ୍ଟି ଦେଉ ନଥିବାରୁ ଗ୍ରାହକମାନଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ଫଳରେ ପରିବା ବେପାରିମାନେ ଦିନ ଦ୍ବିପହରରେ ଗ୍ରାହକମାନଙ୍କ ଠାରୁ ମନଇଛା ଦର ଲଗାଇ ଠକିବା ଆରମ୍ଭ କରିଦେଇଛନ୍ତି। ଯଦି ଡିଏନକେ ଛକରେ ପରିବା କିଣନ୍ତି ତେବେ ଦୈନିକ ବଜାର ଠାରୁ ଏହା ଦ୍ବିଗୁଣ ହୋଇଯାଏ। ବିଭିନ୍ନ ସ୍ଥାନରେ ଦର ଅଲଗା ରହିଥିବାରୁ ଗ୍ରାହକମାନଙ୍କ ମଧ୍ୟରେ ଅଶାନ୍ତି ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ତୁରନ୍ତ ପରିବା ଦରକୁ ନିୟନ୍ତ୍ରଣରେ ଆଣିବାକୁ ଗ୍ରାହକମାନେ ଦାବି କରିଛନ୍ତି।
ପରିବ ଦର ଆକାଶଛୁଆଁ, ଖାଉଟି ହନ୍ତସନ୍ତ
/sambad/media/post_attachments/wp-content/uploads/2019/06/mal-1.jpg)
/sambad/media/agency_attachments/2024-07-24t043029592z-sambad-original.webp)