ଜମ୍ପାନାଙ୍କ ଆତ୍ମସମର୍ପଣ ପରେ ମାଓ ସଂଗଠନର ତୀବ୍ର ପ୍ରତିକ୍ରିୟା

ମାଲକାନଗିରି: ଦୁଇ ଦିନ ତଳେ ମାଓ ସଂଗଠନର ସେଣ୍ଟ୍ରାଲ କମିଟି ସଦସ୍ୟ ତଥା ସେଣ୍ଟ୍ରାଲ ମିଲିଟାରୀ କମିଶନ ସଦସ୍ୟ ନରସିମା ରେଡ୍ଡି ଓରଫ ଜାମ୍ପାନା ତେଲେଙ୍ଗାନା ପୁଲିସ ନିକଟରେ ପତ୍ନୀ ରଜିତାଙ୍କ ସହ ଆତ୍ମସମର୍ପଣ କରିଥିବା ନେଇ ତେଲେଙ୍ଗାନା ପୁଲିସ ଗଣମାଧ୍ୟମରେ ପ୍ରକାଶ କରିଥିଲା। ଏହି ଘଟଣାର ଦୁଇ ଦିନ ପରେ ମାଓ ସଂଗଠନର ପ୍ରବକ୍ତା ଅଭୟ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି ଯେ ଜାମ୍ପାନା ଆଗ ଭଳି କାମ କରିପାରୁନଥିଲେ। ସେ ନକ୍ସଲ ସଂଗଠନର ବିଶ୍ୱାସ ହରାଇ ଥିଲେ। କମ୍ରେଡମାନଙ୍କ ସହ ଠିକ ରୂପେ ବ୍ୟବହାର କରୁନଥିଲେ। ନିଜର କ୍ଷମତାକୁ ଅପବ୍ୟବହାର କରୁଥିଲେ। ଏନେଇ ତାଂକୁ ବହୁବାର ସେଣ୍ଟ୍ରାଲ କମିଟି ତାଗିଦ କରିଥିଲେ ମଧ୍ୟ ତାଂକର କୌଣସି ପରିବର୍ତ୍ତନ ହୋଇନଥିଲା। ତେଣୁ ତାଂକୁ ତ ଦୁଇ ବର୍ଷ ତଳୁ ହିଁ ସେଣ୍ଟ୍ରାଲ କମିଟି ମେମ୍ବର ସମେତ ଅନ୍ୟ ପଦବି ଗୁଡିକରୁ ନିଳମ୍ବିତ କରାଯାଇଥିଲା।

ସେ ମାଓବାଦୀଙ୍କ ଶତ୍ରୁଙ୍କ ନିକଟରେ ଆତ୍ମସମର୍ପଣ କରିବ ବୋଲି ସଂଗଠନ ଆଗରୁ ଜାଣିଛି। ୧୯୮୦ ମସିହାରେ ପାର୍ଟି ମେମ୍ବର ଭାବେ ସଂଗଠନରେ ଜଡିତ ହେବା ପରେ ନିଜର ଦକ୍ଷତା ଦେଖାଇଥିଲେ। ତେଣୁ ସେ ଲଗାତାର ପଦନ୍ନୋତି ପାଇବାରେ ଲାଗିଲେ। ଶେଷରେ ୨୦୦୦ ମସିହାରେ ସେଣ୍ଟ୍ରାଲ କମିଟିର ମେମ୍ବର ହୋଇପାରିଥିଲେ। ତେବେ ସେ ଜଣେ ଭୀରୁ ଏବଂ କାପୁରୁଷ ଅଟନ୍ତି। ତେଣୁ ତାଂକର କୌଣସି ସହାୟତା ଏବଂ ମାର୍ଗ ଦର୍ଶନ ସଂଗଠନକୁ ଦରକାର ନାହିଁ ବୋଲି କମ୍ରେଡ ଏବଂ ସିସି ମେମ୍ବରମାନେ କହିଦେଇଥିଲେ। ତେଣୁ ଗତ ନଭେମ୍ବର ମାସରେ ହିଁ ଆମର ଶତ୍ରୁ ନିକଟରେ ଆତ୍ମସମର୍ପଣ କରିବେ ବୋଲି ଜଣାପଡିଯାଇଥିଲା। ସେ ଗଲା ପରେ ସଂଗଠନର କୌଣସି ଅସୁବିଧା ହେବ ନାହିଁ। କିନ୍ତୁ ଗତ ୩୦ ବର୍ଷ ଧରି ସଂଗଠନରେ କାମ କରିବା ପରେ ତାଂକୁ ଆଜି କାହିଁକି ସଂଗଠନ ଏତେ ଖରାପ ଲାଗିଲା। ସହିଦଙ୍କ ବଳିଦାନ କଥା ସେ ଭୁଲିଗଲେ କି ବୋଲି ଅଭୟ ପ୍ରେସ ବିବୃତ୍ତିରେ ପ୍ରଶ୍ନ କରିଛନ୍ତି। ସଂଗଠନର ଶତ୍ରୁଙ୍କ ଚାଟୁକାର ସାଜି ରହିବାକୁ ପସନ୍ଦ କରିଥିଲେ। ମୁଣ୍ଡ ଟେକି କେବେ ମଧ୍ୟ ସେ ଚାଲି ପାରିବେ ନାହିଁ। ଏଥିସହ ବହୁ ଅକୁହା କଥା ଅଭୟ ନିଜ ବିବୃତ୍ତିରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର