ଏଲଇଡି ଲାଇଟରେ ଝଲସୁଛି ଗୁରୁପ୍ରିୟା:ସେତୁ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ମାଲକାନଗିରି: ଅସ୍ତ୍ରଶସ୍ତ୍ର ସଜ୍ଜିତ ବିଏସଏଫ ଯବାନଙ୍କ ୨୪ଘଣ୍ଟିଆ ପହରା। ଚିହ୍ନା, ଅଚିହ୍ନା ଯାହାକୁ ଦେଖିଲେ ବି ଅଟକାଉଛନ୍ତି। ଭଲ ରୂପେ ଯାଞ୍ଚ କରିବାକୁ ସେତୁ ପାର ହେବାକୁ ଅନୁମତି ଦେଉଛନ୍ତି। ସନ୍ଦିଗ୍ଧ ଗିତିବିଧି ଉପରେ ରହିଛି ତୀକ୍ଷ୍ମ ନଜର। କିଛି ଅସ୍ୱାଭାବିକ ଲାଗିଛି ଦଳ ଦଳ ହୋଇ ଯବାନ ଛୁଟି ଯାଉଛନ୍ତି। ଉଭୟ ଜଳ ଓ ସ୍ଥଳ ଭାବରେ ଏମିତି ସୁରକ୍ଷା ବଳୟରେ ରହିଛି ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳବାସୀଙ୍କ ଲାଇଫ ଲାଇନ ଗୁରୁପ୍ରିୟା ସେତୁ।
ରାତି ହୋଇଗଲେ ଦୁଇ ପାର୍ଶ୍ୱରେ ଲାଗିଥିବା ଉଜ୍ଜ୍ୱଳ ଏଲଇଡି ଲାଇଟରେ ଏହି ବହୁ ପ୍ରତୀକ୍ଷିତ ସେତୁ ଏବେ ଝଲସୁଛି। ପରୀକ୍ଷା ମୂଳକ ଭାବେ ବର୍ତମାନ ଗାଡ଼ି ଚଳାଚଳ ପାଇଁ ଅନୁମତି ଦିଆଯାଇଛି। ତେଣୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଯବାନମାନେ ପ୍ରସ୍ତୁତ ହୋଇ ରହିଛନ୍ତି। ସଂଧ୍ୟା ହେବା ପରେ ଗୋଟିଏ ଦଳ ଗୁରୁପ୍ରିୟା ସେତୁ ଉପରେ ଜଗି ରହିଥିବା ବେଳେ ସେତୁର ତଳେ ଆଉ କିଛି ଯବାନ ପଇଁତରା ମାରୁଥିବା ଆମ ପ୍ରତିନିଧି ଦେଖିବାକୁ ପାଇଥିଲେ। ସେହିପରି ନଦୀରେ ବୋଟ ମାଧ୍ୟମରେ ରାତିରେ ଯବାନ ସୁରକ୍ଷା ଦେଉଥିବା ଦେଖିବାକୁ ମିଳିଥିଲା।
ଯେଉଁ ଭଳି ଭାବେ ସୁରକ୍ଷା ବ୍ୟବସ୍ଥା କରାଯାଇଛି ଯବାନ ଓ ସିସିଟିଭି ନଜରରୁ ଖସିବା ମୁସ୍କିଲ। ସେତୁ ଦୁଇ ପାର୍ଶ୍ୱରେ ଏବଂ ସେତୁ ଉପରେ ଯବାନ ଜଗି ରହିଛନ୍ତି। ପୁଣି ସିସିଟିଭି ଏବଂ ଉଜ୍ଜ୍ୱଳ ଆଲୋକରୁ ବର୍ତିବା ଆଦୌ ସହଜ ହେବ ନାହିଁ। ତେଣୁ ନକ୍ସଲଙ୍କ ପାଇଁ ଏହି ଦୁର୍ଭେଦ୍ୟ ଗଡ଼ ସଦୃଶ ସେତୁକୁ ଅତିକ୍ରମ କରିବା କିମ୍ବା କିଛି ଅଘଟଣା ଘଟାଇବା ଆଦୌ ସମ୍ଭବ ନୁହଁ ବୋଲି ଏଠାକାର ସ୍ଥିତି ଦେଖିଲେ ସ୍ପଷ୍ଟ ହୋଇଯାଉଛି।

ରାତିରେ ଯବାନଙ୍କ ସହ କଥାବାର୍ତ୍ତା ସମୟରେ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା। ସୁରକ୍ଷା ନିମନ୍ତେ ମୁତୟନ ଯବାନଙ୍କ ଦଳ ପ୍ରତି ୫ଘଣ୍ଟାରେ ବଦଳୁଛି। ଓ୍ଵାକିଟକି ଏବଂ ଦୂରବିକ୍ଷଣଯନ୍ତ୍ର ଧରି ନିରନ୍ତର ସ୍ଥିତି ସଂପର୍କରେ ଅବଗତ କରାଉଛନ୍ତି। ଦିନରେ କିଛି କିଛି ଲୋକ ସେତୁ ପାର ହୋଇ ଯାଉଛନ୍ତି। କିନ୍ତୁ ରାତିରେ ତାହାକୁ ବି ବନ୍ଦ କରି ଦିଆଯାଇଛି। ଏପରିକି ପୋଲ ପାର ହେଉଥିବା ଲୋକଙ୍କୁ ପରିଚୟପତ୍ର ଦେଖାଇବା ବାଧ୍ୟତା ମୂଳକ କରାଯାଇଛି।
୫୦ଲକ୍ଷ ଟଙ୍କା ବ୍ୟୟରେ ସେତୁ ଉପରେ ଲାଗିଥିବା ଏଲଇଡି ଲାଇଟ ରାତିରେ ବି ଦିନର ଭ୍ରମ ସୃଷ୍ଟି କରୁଛି। ସେତୁର ଦୁଇ ପଟେ ବଡ ବଡ ହାଇମାକ୍ସ ଲାଇଟ ମଧ୍ୟ ଲାଗିଛି। ପରୀକ୍ଷା ମୂଳକ ଭାବେ ଏହି ଲାଇଟ ଗୁଡିକ ରାତି ସାଢେ ୮ଟା ପର୍ଯ୍ୟନ୍ତ ଜଳୁଛି। ଏହାପରେ ବନ୍ଦ କରାଯାଉଛି। ଟ୍ରାନ୍‌ସଫର୍ମର ଲାଗିବା ପରେ ପୂରା ରାତି ଲାଇଟ ଗୁଡ଼ିକ ଜଳିବ। ପେପରମେଟଲା ଥାନା ଅଧିକାରୀ ଲକ୍ଷ୍ମୀ ନାରାୟଣ ମୁଦୁଲିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସାଧା ପୋଷାକରେ ରହିଥିବା ପୁଲିସ କର୍ମଚାରୀଙ୍କୁ ସୁରକ୍ଷା ସଂପର୍କରେ ପଚାରିବାରୁ ସେତୁକୁ ଅତିକ୍ରମ କରୁଥିବା ପ୍ରତ୍ୟେକ ଲୋକଙ୍କ ଟିକିନିଖି ବିବରଣୀ ରେକର୍ଡ କରାଯାଉଥିବା କହିଥିଲେ। ଯଦି କାହା ଉପରେ ସନ୍ଦେହ ହେଲା ଏବଂ ଏହି ଅଞ୍ଚଳର ନୁହଁନ୍ତି ବୋଲି ଜଣା ପଡ଼ିଲା ତେବେ ଅଟକ ରଖି ପଚରା ଉଚୁରା କରାଯାଉଛି।

ଗତକାଲି ରାତିରେ ଆନ୍ଧ୍ରର କୋରକୋଣ୍ଡା ପଟୁ ତିନି ଜଣ ଲୋକ ବାଇକ ଯୋଗେ ସେତୁ ଦେଇ ଯିବାକୁ ଚେଷ୍ଟା କରିବାରୁ ପୁଲିସ ଏବଂ ବିଏସଏଫ ଯବାନ ଅଟକାଇଥିଲେ। ତେଲୁଗୁରେ ସେମାନେ କଥାବାର୍ତା ହେବାରୁ ତେଲୁଗୁ ଜାଣିଥିବା କିଛି ବିଏସଏଫ ଯବାନ ସେମାନଙ୍କ ସହ କଥା ହୋଇଥିଲେ। ହାତରେ ଧରିଥିବା ବ୍ୟାଗକୁ ଯାଞ୍ଚ କରିବାରୁ ଗୋଟିଏ ଲାପ୍‌ଟପ ବାହାରିଥିଲା। ତେଣୁ ଅଧିକ ସନ୍ଦେହ ହେବାରୁ ଅନ୍ୟତ୍ର ନେଇ ପଚରା ଉଚୁରା କରାଯାଇଥିଲା।
ଅନ୍ୟପକ୍ଷରେ ପ୍ରତିଦିନ ଜିଲ୍ଲାପାଳ ସେତୁ ସଂପର୍କରେ ସରକାରଙ୍କୁ ବିବରଣୀ ଦେଉଛନ୍ତି। ବିଚ୍ଛିନ୍ନାଞ୍ଚଳରେ ବର୍ତମାନ ରାସ୍ତା କାମ ଚାଲିଥିବା ବେଳେ ବର୍ଷା ଯୋଗୁଁ ବାଧା ସୃଷ୍ଟି ହେଉଛି। ଏନେଇ ଏସପି ଜଗମୋହନ ମୀନାଙ୍କ ପଚାରିବାରୁ ସେ ମଧ୍ୟ ଗୁରୁପ୍ରିୟା ସେତୁର ସୁରକ୍ଷା ସଂପର୍କରେ କହିବା ସହ ସେତୁ ହେଲେ ବିଚ୍ଛିନ୍ନାଞ୍ଚଳବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବ ବୋଲି କହିଥିଲେ। ଯନ୍ତାପାଇରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରି ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଇଥିବା ସେ ସୂଚନା ଦେଇଥିଲେ। ଏବେ କେବଳ ଉଦ୍‌ଘାଟନ ଅପେକ୍ଷାରେ ଏହି ସେତୁ ରହିଥିବା ବେଳେ ବିଚ୍ଛିନ୍ନାଞ୍ଚଳବାସୀ ଉତ୍ସାହର ସହ ସେହି ଦିନକୁ ଅନାଇ ବସିଛନ୍ତି।

ସମ୍ବନ୍ଧିତ ଖବର