ଶିକୁଳିରେ ବନ୍ଧା ଜୀବନ:ପରିବାର ଉପରେ ଦୁଃଖର ପାହାଡ଼

ମାଲକାନଗିରି: ପରିବାରର ରୋଜଗାରିଆ ବ୍ୟକ୍ତିଙ୍କ କିଛି ହୋଇଗଲେ ପୂରା ପରିବାର ଅସହାୟ ହୋଇଯାଏ। ଏମିତି ବହୁ ନଜିର ବହୁ ସମୟରେ ଦେଖିବାକୁ ମିଳେ। ସେଥିମଧ୍ୟରୁ ଗୋଟିଏ ଉଦାହରଣ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଗୋବିନ୍ଦପାଲୀ ପଞ୍ଚାୟତରେ ଦେଖିବାକୁ ମିଳିଛି। ପାହାଡ ଉପରେ ଥିବା ଡାବଗୁଡା ଗ୍ରାମରେ ବାସ କରନ୍ତି ରାଜୀବ ଖିଲ। ବୟସ ପାଖାପାଖି ୩୫ବର୍ଷ ହେବ। ବାପା, ମା’ ଆରପାରିକୁ ଚାଲିଯାଇଥିବା ବେଳେ ପରିବାର କହିଲେ ବୁଢି ଜେଜେମା’, ପତ୍ନୀ ଏବଂ ଦୁଇ ସନ୍ତାନ। ରାଜୀବ ପିଲାଟି ଦିନରୁ ପରିଶ୍ରମୀ ଓ ସାହସୀ ଥିଲେ। କିଛି ବର୍ଷ ପୂର୍ବରୁ ବେଶ୍‌ ସୁଖଶାନ୍ତିରେ ବିତୁଥିଲା ତାଙ୍କ ଜୀବନ। ତେବେ ଅଜଣା ରୋଗ ଏହି ପରିବାରକୁ ବର୍ତମାନ ଅସହାୟ କରି ଦେଇଛି। ରୋଗରେ ପୀଡିତ ରାଜୀବଙ୍କ ମାନସିକ ସ୍ଥିତିରେ ହଠାତ୍‌ ପରିବର୍ତନ କରି ଦେଇଥିଲା। ସେ ଏଣେତେଣେ ବୁଲିବାକୁ ଲାଗିଲେ। କାହିରି କଥା ଶୁଣିଲେ ନାହିଁ। ଆଖି ସାମ୍ନାରେ ଯାହା ପଡିଲା ତାହାକୁ ଭାଙ୍ଗିଲେ।

ଗ୍ରାମବାସୀ ଏମିତି ହାବଭାବ ଦେଖି ଅତିଷ୍ଠ ହୋଇପଡିଲେ। ପତ୍ନୀ ମଧ୍ୟ ସ୍ୱାମୀଙ୍କ ଏଭଳି ଅବସ୍ଥା ଦେଖି କିଛି ବୁଝିପାରି ନଥିଲେ। ସଚେତନତା ଅଭାବ ସାଙ୍ଗକୁ ଗ୍ରାମବାସୀଙ୍କ କଥାରେ ସେ ରାଜୀବକୁ ଗୁଣିଆ ଡିଶାରୀଙ୍କ ପାଖକୁ ନେଲେ। ବହୁ ପୂଜାର୍ଚ୍ଚନା ସତ୍ୱେ ତାଙ୍କର କୌଣସି ପରିବର୍ତନ ହେଲାନାହିଁ। ଅନ୍ୟଦିଗରେ ମେଡିକାଲ ଆଣିବାକୁ ପରିବାର ଲୋକ ଭୟ କଲେ। କାରଣ ଥିଲା କାଳେ ରାଜୀବକୁ ମେଡିକାଲ ନେଲେ ଥାନାକୁ ଯିବାକୁ ପଡିବ। ଥାନା ଭୟରେ ରାଜୀବକୁ ଶିକୁଳି ପକାଇ ଗୋଟିଏ ଖୁଣ୍ଟରେ ବାନ୍ଧି ଦେଇଛନ୍ତି। ଖୁଣ୍ଟିରେ ବନ୍ଧା ହେବାରୁ କାମଧାମ ସବୁ ବନ୍ଦ ହୋଇଗଲା। ଯାହାଫଳରେ ଘର ଚଳିବା ବି କଷ୍ଟକର ହୋଇଗଲା। ବୁଢୀ ଜେଜେମା’ଙ୍କୁ ୩ଶହ ଟଂକା ଭତ୍ତା ମିଳୁଛି। ଏତିକିରେ ପରିବାର ଚଳିବା କଷ୍ଟ ହେଉଥିବାରୁ ପତ୍ନୀ କୁଲି କାମ କରିବା ପାଇଁ ବାହାରିଲେ। ପିଲାଙ୍କୁ ଦୁଇ ମୁଠା ଦାନା ଦେବା ପାଇଁ ପତ୍ନୀ ଅହରହ ପରିଶ୍ରମ କରୁଛନ୍ତି। ତଥାପି ପିଲାଙ୍କୁ ପେଟ ଭର୍ତି ଖାଦ୍ୟ ଦେଇପାରୁ ନାହାନ୍ତି।

ଏମିତି ଅବସ୍ଥାରେ ସେ ସ୍ୱାମୀଙ୍କୁ କେମିତି ସୁସ୍ଥ କରିବେ ଜାଣିପାରୁ ନାହାନ୍ତି। ଭଗବାନଙ୍କ ଭରସାରେ ରାଜୀବକୁ ପରିବାର ଲୋକେ ଛାଡି ଦେଇଛନ୍ତି। ପତ୍ନୀ ରାଜୀବଙ୍କ ସେବା ଶୁଶ୍ରୂଷା କରୁଛନ୍ତି। ଗୋଟିଏ ଜାଗାରେ ହିଁ ରାଜୀବ ବସି ରହିବା ସହ ସମସ୍ତ କାର୍ଯ୍ୟ କରୁଥିବା ପରିବାର ଲୋକେ କହିଛନ୍ତି। ଏ ସଂପର୍କରେ ପ୍ରଶାସନ ନିକଟରେ କୌଣସି ଖବର ନାହିଁ। ଗ୍ରାମବାସୀ ବି ଆବଶ୍ୟକ ଅନୁଯାୟୀ ସହଯୋଗ କରୁନାହାନ୍ତି। ଦୟନୀୟ ଅବସ୍ଥାରେ ପରିବାର ଏବେ ଗତି କରୁଛି। ରାଜୀବକୁ ଯଦି ଉପଯୁକ୍ତ ଚିକିତ୍ସା କରାଯିବ ତାହାହେଲେ ସେ ନିଶ୍ଚୟ ଭଲ ହୋଇଯାନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ଏବେ ଶୀତର ପ୍ରୋକପ ଜୋର ରହିଥିଲେ ମଧ୍ୟ ରାଜୀବ ସେସବୁ ଖାତିରି ନକରି ଗୋଟିଏ ସ୍ଥାନରେ ପଡି ରହିଛି। ତେବେ ରାଜୀବକୁ କି ରୋଗ ହୋଇଛି କିଛି ବୁଝିପାରୁନଥିବା ବେଳେ ତୁରନ୍ତ ତାର ଚିକିତ୍ସା ଦରକାର ବୋଲି କୁହାଯାଉଛି। ସ୍ଥାନୀୟ ବିଡିଓ ରାଜୀବଙ୍କ ଖବର ଜାଣିବା ପରେ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ରେଡକ୍ରସ ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସୁଖଶାନ୍ତିରେ ବଂଚୁଥିବା ପରିବାର କିଛି ଦିନ ମଧ୍ୟରେ ଅସହାୟ ଅବସ୍ଥାକୁ ଚାଲିଆସିବା ଘଟଣା ସମସ୍ତଙ୍କୁ ଚକିତ କରିଥିବା ବେଳେ ଦୁଇ ଛୁଆ, ପତ୍ନୀ ଏବଂ ଜେଜେ ମା’କୁ ବଂଚିବା ପାଇଁ ପ୍ରଶାସନର ସହଯୋଗ ଦରକାର ପଡୁଥିବା ବେଳେ ତୁରନ୍ତ କୌଣସି ପଦକ୍ଷେପ ନିଆନଗଲେ ପରିବାର ଦାଣ୍ଡର ଭିକାରୀ ସାଜିବ ବୋଲି ଗ୍ରାମବାସୀ କହିଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର