ମାଲକାନଗିରି: ୩୦୦ ପିଲାଙ୍କୁ ପଢ଼ାନ୍ତି ୪ଜଣ ଶିକ୍ଷକ, ଶିଶୁ ଦିବସରେ ରାସ୍ତାରୋକ କଲେ ଛାତ୍ରଛାତ୍ରୀ

ମାଲକାନଗିରି: ଭୁବନେଶ୍ୱରରେ ବିରାଟ ଆୟୋଜନ ସହିତ ରାଜ୍ୟସ୍ତରୀୟ ଶିଶୁ ଦିବସ ପାଳନ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ଏହାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ। ବିଦ୍ୟାଳୟରେ ଆନୁସଙ୍ଗିକ ସୁବିଧା ନଥିବାରୁ ଖଇରପୁଟ ବ୍ଲକର ଆମ୍ବିକିପୁଟରେ ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ବିଦ୍ୟାଳୟ ସମସ୍ୟାର ସମାଧାନ ଦାବିରେ ଛାତ୍ରଛାତ୍ରୀମାନେ ସ୍କୁଲରେ ତାଲା ପକାଇ ରାସ୍ତା ଅବରୋଧ କରିଥିଲେ।

ଆମ୍ବିକିପୁଟ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟରେ ପ୍ରାୟ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। ରାଜ୍ୟ ସରକାର ଶିକ୍ଷାର ବିକାଶକୁ ନେଇ ଘଣ୍ଟ ପିଟୁଥିବା ବେଳେ ଏଠାରେ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ପାଇଁ ମାତ୍ର ୪ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ସେହିଭଳି ଚଳିତ ବର୍ଷ ଏଠାରେ ହାଇ ସ୍କୁଲ ଖେଲାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗୋଟିଏ ହେଲେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ନାହିଁ।

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ଅବସରରେ ମଙ୍ଗଳବାର ପୂରା ଦେଶରେ ‘ଶିଶୁ ଦିବସ’ ପାଳନ ହୋଇଛି। ଚାଚା ନେହେରୁଙ୍କୁ ମନେ ପକାଇ ଓଡ଼ିଶାରେ ମଧ୍ୟ ଏବର୍ଷ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ଭାବରେ ପାଳନ କରାଯାଇଛି। ‘ଆମେ ପଢ଼ିବୁ, ଗଢ଼ିବୁ…ଶ୍ରେଷ୍ଠ ହେବୁ’ ସ୍ଲୋଗାନ ନେଇ ରାଜଧାନୀ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଶିଶୁ ଦିବସ ପାଳନ ହୋଇଛି। ୧୭ ବର୍ଷ ଧରି କ୍ଷମତାରେ ଥିବା ସରକାର କେଉଁ ଉଦେଶ୍ୟ ନେଇ ଏଥର ଶିଶୁ ଦିବସକୁ ବ୍ୟାପକ କରିଛି, ତାହା ବଡ଼ ଲୋକ ଅଥବା ରାଜନୀତିଜ୍ଞ ଓ ବିଶେଷଜ୍ଞମାନେ ହିଁ କହି ପାରିବେ।

ଉତ୍ୟକ୍ତ ଛାତ୍ରଛାତ୍ରୀମାନେ ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ବାଲିମେଳା-ଗୋବିନ୍ଦପାଲ୍ଲୀ ରାସ୍ତା ଅବରୋଧ କରିଥିଲେ ଫଳରେ ଯାତାୟତ ପ୍ରଭାବିତ ହୋଇଥିଲା। ସୂଚନା ମିଳିବା ପରେ ମାଲକାନଗିରି ଉପ-ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଘଟଣାସ୍ଥଳକୁ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ। ସ୍କୁଲରେ ବୁଧବାର ନୂତନ ଶିକ୍ଷଙ୍କୁ ନିଯୁକ୍ତି ମିଳିବ ବୋଲି ଶ୍ରୀ ପଣ୍ଡା ଆଶ୍ୱାସନା ଦେଇଛନ୍ତି।

ସମ୍ବନ୍ଧିତ ଖବର