ରାସ୍ତା କାମକୁ ମାଓବାଦୀଙ୍କ ବିରୋଧ :ଠିକା କ୍ୟାମ୍ପରେ ପୋଡ଼ାଜଳା

ମାଥିଲିି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ପୁଣି ମାଓବାଦୀ ଉପସ୍ଥିତି ଜାହିର କରିଛନ୍ତି। ଗତ ଦିନରେ ସାନଗୁମ୍ମା-ଲୁଲେର-ଡୁର୍କାଗୁଡା ପର୍ଯ୍ୟନ୍ତ ରାସ୍ତା କାମକୁ ବିରୋଧ କରି କିଛି ସ୍ଥାନରେ ପୋଷ୍ଟର ମାରିବା ସହ ଗୋଟିଏ ରୋଲର ପୋଡି ଦେଇଥିବା ବେଳେ ଗତକାଲି ରାତିରେ ରାସ୍ତା କାର୍ଯ୍ୟରେ ନିୟୋଜିତ ମିକ୍ଚର ମେସିନ ଓ ରୋଲର ପୋଡିଛନ୍ତି।

ସୂଚନା ଅନୁଯାୟୀ, ସାନଗୁମ୍ମା-ଲୁଲେର-ଡୁର୍କାଗୁଡା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଗତ କିଛି ମାସ ତଳେ ରାସ୍ତା କାମ ଆରମ୍ଭ ହୋଇଥିଲା। କିଛି ଦିନ ତଳେ ଏହି କାମକୁ ବିରୋଧ କରି ମାଓବାଦୀ ରୋଲର ପୋଡିବା ସହ କାମ ବନ୍ଦ କରିବାକୁ ଚେତାବନୀ ଦେଇଥିଲେ। ଏହାପର ଠାରୁ ରାସ୍ତା କାମ ବନ୍ଦ ରହିଥିଲା। ସପ୍ତାହକ ତଳେ ପୁଣି କାମ ଆରମ୍ଭ ହୋଇଥିଲା। ଏହି ରାସ୍ତା କାମକୁ ବିରୋଧ କରି ଗତକାଲି ବିଳମ୍ବିତ ରାତିରେ ମାଓବାଦୀ ଲୁଲେର ଗାଁରେ ପହଞ୍ଚି ରାସ୍ତା କାର୍ଯ୍ୟରେ ନିୟୋଜିତ ମିକ୍ଚର ମେସିନ ଓ ରୋଲର ପୋଡି ଦେଇଥିଲେ। ସେହିପରି ରାସ୍ତା କାମରେ ପାଣି ପକାଇବାକୁ ଥିବା ଏକ ଟ୍ୟାଙ୍କରକୁ ରାସ୍ତା ପାର୍ଶ୍ୱରେ ଓଲଟାଇ ଦେଇ ଏକ ପୋଷ୍ଟର ମାରିଥିଲେ। ଏହି ପୋଷ୍ଟର ଛାଡି ଚାଲି ଯାଇଥିଲେ।

ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ସହ ଭାଜପା ସରକାରଙ୍କୁ ବିରୋଧ କରାଯାଇଛି। ଛତିଶଗଡ, ମହାରାଷ୍ଟ୍ର ସୀମାରେ ସୁରକ୍ଷା କର୍ମୀ ମାନେ ଚଲାଇଥିବା ଅପରେସନରେ ନିୟୋଜିତ ଅଧିକାରୀଙ୍କୁ ଦଣ୍ଡ ଦେବା, ମିଶନ ନାମରେ ଅନୁସନ୍ଧାନ ଅଭିଯାନ କରି ମହିଳାଙ୍କ ସହିତ ସାମୂହିକ ଅତ୍ୟାଚାର ବନ୍ଦ କରିବା ଆଦି ପୋଷ୍ଟରରେ ଉଲ୍ଲେଖ ରହିଛି। ଭାକୋପା ଦଣ୍ଡକାରଣ୍ୟ ସ୍ପେଶାଲ ଜେନେରାଲ କମିଟି ବୋଲି ପକ୍ଷରୁ ଏହି ପୋଷ୍ଟର ମରାଯାଇଛି। ମାଓବାଦୀଙ୍କ ଦ୍ୱାରା ମିକ୍ଚର ମେସିନ, ରୋଲର ପୋଡିବା ଏବଂ ପୋଷ୍ଟର ମରାଯିବା ପରେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏନେଇ ପୁଲିସର ପ୍ରତିକ୍ରିୟା ହସ୍ତଗତ ହୋଇପାରିନି।

ସମ୍ବନ୍ଧିତ ଖବର