ମାନବିକତା ଦେଖାଇଲେ ବିଜେଡି ବିଧାୟକ ପ୍ରାର୍ଥୀ ଦୁଇ ଆହତଙ୍କୁ ଉଦ୍ଧାର କଲେ

ମାଲକାନଗିରି: ନିର୍ବାଚନ ପ୍ରଚାରର ବ୍ୟସ୍ତତା ସତ୍ତ୍ବେ ମାନବିକତାକୁ ଭୁଲି ନାହାନ୍ତି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ବାକା। ନିର୍ବାଚନ ପ୍ରଚାରକୁ ଅଧାରେ ବନ୍ଦ କରି ଦୁର୍ଘଟଣାରେ ଆହତ ଦୁଇ ଜଣଙ୍କୁ ଉଦ୍ଧାର କରି ଜୀବନ ବଞ୍ଚାଇବାରେ ସହାୟକ ହୋଇଛନ୍ତି।
ସୂଚନା ଅନୁଯାୟୀ, ମାଥିଲି ବ୍ଲକର ବାମନଗୁଡା ନିକଟରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଧୁଙ୍ଗିଆପୁଟ ପଞ୍ଚାୟତର ଦୁର୍ଗାଯୋଡି ଗ୍ରାମର ଦୁଇ ଜଣ ବ୍ୟକ୍ତି କୌଣସି କାମରେ ଯାଉଥିବା ବେଳେ ବାମନଗୁଡା ନିକଟରେ ମଟର ସାଇକେଲଟି ଗୋଟିଏ ଗଛରେ ପିଟି ହୋଇଯାଇଥିଲା। ଯାହାଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ତେବେ ଏହି ରାସ୍ତା ଦେଇ ପ୍ରଚାର କରିବା ପାଇଁ ଯାଉଥିବା ବିଜେଡି ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ନଜର ରାସ୍ତା ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ଥିଲା। ନିଜ ପ୍ରଚାରକୁ ବନ୍ଦ କରି ଆମ୍ବୁଲାନ୍ସକୁ ‌ଫୋନ କରିଥିଲେ। ତେବେ କୌଣସି କାରଣରୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବ ବୋଲି ତାଙ୍କୁ ଉତ୍ତର ମିଳିଥିଲା। ଅନ୍ୟପଟେ ଦୁଇ ଜଣଙ୍କ ଅବସ୍ଥାକୁ ଦେଖି ତୁରନ୍ତ ମେଡିକାଲ ନେବା ପାଇଁ ଉଦ୍ୟମ କରିଥିଲେ। ଶେଷରେ ନିଜ ପ୍ରଚାର ଗାଡ଼ିରେ ହିଁ ଆହତଙ୍କୁ ଉଦ୍ଧାର କରି ମାଥିଲି ମେଡିକାଲକୁ ନିଆଯାଇଥିଲା। ବିଧାୟକ ପ୍ରାର୍ଥୀଙ୍କ ଏଭଳି କାମକୁ କେହି ଜଣେ ନିଜ ମୋବାଇଲରେ ରେକର୍ଡ କରିଥିଲା। ଯାହାକି ପରବର୍ତୀ ସମୟରେ ଭାଇରାଲ ହୋଇଯାଇଛି। ଯାହାକୁ ନେଇ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର