ମୋଷ୍ଟ ୱାଣ୍ଟେଡ ମାଓବାଦୀଙ୍କ ତାଲିକା ଜାରି: ଟପ୍‌ରେ ଅଛନ୍ତି ମାଓନେତା ଗଣପତି

ମାଲକାନଗିରି: କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦେଶ କ୍ରମେ ଦେଶର ସବୁଠାରୁ ବଡ଼ ତଦନ୍ତକାରୀ ସଂସ୍ଥା ଏନଆଇଏ ପକ୍ଷରୁ ମୋଷ୍ଟ ୱାଣ୍ଟେଡ ନକ୍ସଲଙ୍କ ତାଲିକା ଜାରି କରାଯାଇଛି। ଏହି ତାଲିକା‌ର ଅଧିକାଂଶ ନକ୍ସଲ ନେତା ଛତିଶଗଡ଼ରେ ହିଁ ରହିଥିବା ସୂଚନା ମିଳିଛି। ଫୋଟ ସହ ଯେଉଁ ତାଲିକା ପ୍ରକାଶିତ ହୋଇଛି ସେଥିରେ ମୁପଲ୍ଲା ଲକ୍ଷ୍ମଣ ରାଓ ଓରଫ ଗଣପତି ଓରଫ ରାମନ୍ନାଙ୍କ ନାଁ ପ୍ରଥମରେ ରହିଛି। ସରକାର ଗଣପତି ନାଁରେ ୩ କୋଟି ଟଂକାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଗୁଇନ୍ଦା ସୂଚନା ଅନୁସାରେ କିଛି ଦିନ ତଳେ ଗଣପତି ନିଜ ପଦବିରୁ ଇସ୍ତଫା ଦେଇଥିଲେ। ଏହାପରେ ସଂଗଠନର ମହାସଚିବ ଭାବେ ନାମ୍ବାଲା କେଶବ ରାଓ ଓରଫ ବାସବା ରାଜୁଙ୍କୁ ଦାୟିତ୍ବ ଦିଆଯାଇଛି। ଦୀର୍ଘ ଦିନ ହେଲା ଅସୁସ୍ଥ ଥିବା ଗଣପତି ଚିକିତ୍ସା ପାଇଁ ଦେଶ ବାହାରକୁ ଚାଲି ଯାଇଛନ୍ତି। ଝାରଖଣ୍ଡ-ନେପାଲ ରାସ୍ତାରେ ଫିଲିପିନସ୍ ଚାଲିଯାଇଥିବା କୁହାଯାଉଛି। ସେଠାରେ କୌଣସି ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।
ଏନଆଇଏ ପ୍ରକାଶ କରିଥିବା ତାଲିକାର ଦ୍ବିତୀୟରେ ସ୍ଥାନ ରହିଛି କେଶବ ରାଓଙ୍କ ନାଁ। ବର୍ତମାନ କେଶବ ଛତିଶଗଡ଼ରେ ରହି ପୂରା ସଂଗଠନକୁ ନିୟନ୍ତ୍ରଣ କରୁଛନ୍ତି। କେଶବ ଜଣେ ହାର୍ଡକୋର ନକ୍ସଲ ହୋଇଥିବାରୁ ଆଗକୁ ଅଧିକ ହିଂସାକାଣ୍ଡ ଘଟାଇବା ନେଇ ଅନୁମାନ କରାଯାଉଛି। ତେଣୁ ଗିରଫ ପାଇଁ ପୁଲିସ ପଦକ୍ଷେପ ଗ୍ରହଣ କରିଥିବା ଶୁଣିବାକୁ ମିଳିଛି। ଏହାପରେ ମୋଷ୍ଟ ଵାଣ୍ଟଟେଡ ତାଲିକାରେ ଝାରଖଣ୍ଡର ସାରନ୍ଦିଆରେ ସକ୍ରିୟ ରହିଥିବା ମାଓନେତା ପ୍ରଶାନ୍ତ ବୋଷ ଓରଫ କିଶନଜୀଙ୍କ ନାଁ ରହିଛି। ଛତିଶଗଡ଼, ଓଡ଼ିଶା, ଆନ୍ଧ୍ରପ୍ରଦେଶର ସୀମାନ୍ତବର୍ତ୍ତୀ ଅଂଚଳରେ ସଂଗଠନର ନେତୃତ୍ବ ନେଉଥିବା ହାର୍ଡକୋର ସାୟନ୍ନା ଏବଂ ମଲ୍ଲୋଇୟୁଲା ବେଣୁ ଗୋପାଳଙ୍କ ନାଁ ବି ତାଲିକାରେ ରହିଛି। ବେଣୁ ଗୋପାଳ ଛତିଶଗଡ଼ ଓ ମହାରାଷ୍ଟ୍ର ସୀମାରେ ରହି ନିଜର ଗତିବିଧି ଚଳାଇଛନ୍ତି। ତେବେ ଏମାନେ ବାରମ୍ବାର ବାରମ୍ବାର ନିଜ ଠିକଣା ବଦଳାଉଛନ୍ତି।
ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଂଚଳରେ ଦୀର୍ଘ ଦିନ ଧରି ମାଓନେତା ଗଣପତି ଲୁଚି ରହିଥିଲା। ଦୁଇ ଦୁଇ ଥର ଆକ୍ରମଣ ପରେ ମଧ୍ୟ ସେ ଖସିଯିବାରେ ସଫଳ ହୋଇଥିଲା। କିନ୍ତୁ ପୁଅ ମୁନ୍ନା ପୁଲିସ ଗୁଳିରୁ ବର୍ତ୍ତି ପାରିନଥିଲା। ପୁଲିସ ଏମାନଙ୍କୁ ଖଜୁଛି। ସଂଗଠନରେ ଏହି ନେତାମାନେ ନିଜର ପତିଆରା ଜାହିର କରି ସରକାରୀ କଳକୁ ଧ୍ବଂସ କରିବାକୁ ଅହରହ ଚେଷ୍ଟା ଜାରି ରଖିଛନ୍ତି। ହେଲେ ଏନଆଇଏ ‌ଗଣପତି ଓ କେଶବ ରାଓଙ୍କ ଯେଉଁ ଫଟୋ ଜାରି କରିଛି ତାହା ୩୦ ବର୍ଷ ତଳର। ଦେଶର କୌଣସି ଏଜେନ୍ସି ପାଖରେ ଏମାନଙ୍କ ବର୍ତ୍ତମାନର ଫଟୋ ନାହିଁ। ଯାହାଫଳରେ ଏମାନଙ୍କୁ ଚିହ୍ନିବାରେ ସମସ୍ୟା ହେଉଥିବା କୁହାଯାଉଛି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ହିଁ ଏମାନଙ୍କୁ ଚିହ୍ନଟ କରିପାରିବେ ବୋଲି ଜଣାପଡ଼ିବାରୁ ସେମାନଙ୍କ ସହାୟତା ନିଆଯାଉଛି।

ସମ୍ବନ୍ଧିତ ଖବର