ଜମି ବିବାଦକୁ ନେଇ ହତ୍ୟାକାଣ୍ଡ:ପୁତୁରାର ଟାଙ୍ଗିଆ ଚୋଟରେ ଦାଦା ମୃତ

ମାଲକାନଗିରି/ମାଥିଲି: ଜମି ବିବାଦକୁ ନେଇ ଘଟିଛି ଅଭାବନୀୟ ଘଟଣା। ଟାଙ୍ଗିଆରେ ଆକ୍ରମଣ କରି ଦାଦାକୁ ଅତି ନିର୍ମମ ଭାବେ ହତ୍ୟା କରିଛି। ଏଭଳି ହୃଦୟ ବିଦାରକ ଘଟଣା ମାଲକାନଗିରି ଥାନା ଅନ୍ତର୍ଗତ ନାୟକଗୁଡା ନିକଟସ୍ଥ ସନ୍ନ୍ୟାସୀଗୁଡାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଛି। ଅଭିଯୁକ୍ତ ପୁତୁରାକୁ ଗିରଫ କରି ଥାନାରେ ପଚରା ଉଚୁରା କରୁଛି।
ସୂଚନା ଅନୁଯାୟୀ, ସନ୍ନ୍ୟାସୀଗୁଡାରେ ବାସ କରୁଥିବା ବାକା ପରିବାର ମଧ୍ୟରେ ଦୀର୍ଘ ଦିନ ହେଲା ଜମିକୁ କେନ୍ଦ୍ର କରି ବିବଦ ରହିଥିଲା। ଗତକାଲି ସଂଧ୍ୟାରେ ଦାଦା ଭଗତରାମ ବାକା ଏବଂ ପୁତୁରା ସମାରୁ ବାକା ପରସ୍ପରକୁ ବିବାଦୀୟ ଜମି ନିକଟରେ ପରସ୍ପରକୁ ଦେଖିବା ପରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପୁତୁରା ସମାରୁ ସେଠାର ଚାଲି ଯାଇଥିଲା। ପରବର୍ତୀ ସମୟରେ ଭଗତରାମ ଘରକୁ ଫେରିବା ବେଳେ ଆତର୍କିତ ଭାବେ ପୁତୁରା ଗୋଟିଏ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଟାଙ୍ଗିଆ ଚୋଟ ବାଜିବା ପରେ ଭଗତରାମ ଘଟଣା ସ୍ଥଳରେ ଟଳି ପଡିଥିଲେ। ନିର୍ମମ କାଣ୍ଡ ଘଟଣା ସମାରୁ ସେଠାରୁ ଚମ୍ପଟ ମାରିଥିଲା। ଆଜି ସକାଳୁ ମୃତ ଭଗତରାମଙ୍କ ପତ୍ନୀ ଶୁକ୍ରି ବାକା ମାଲାକନଗିରି ଥାନାକୁ ଆସି ଏତଲା ଦେଇଥିଲେ। ଅଭିଯୋଗ ପାଇ ଥାନା ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ, ଏସଆଇ ସୁଶାନ୍ତ କୁମାର ଦାସ, ଅମୂଲ୍ୟ ଡୁକୁରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଅଭିଯୁକ୍ତ ସମାରୁକୁ ପୋଲିସ ଗିରଫ କରି ଥାନାକୁ ଆଣିଥିଲା। କେଶ ନମ୍ବର ୯୫/୧୮ ଏବଂ ୩୦୨ରେ କେଶ ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର