ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

ପଡିଆ: ଗୁଣି ଗାରେଡି ଭଳି ଅନ୍ଧବିଶ୍ବାସର ଶିକାର ହୋଇ ଜୀବନ ହାରିଛନ୍ତି ଜଣେ ବୃଦ୍ଧ। ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ପଡିଆ ବ୍ଲକର ଡ୍ୟାମଗୁଡା ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ମୃତ ବ୍ୟକ୍ତି ହେଲେ କୁଂଜାମି ଇର୍ମା। କୁଂଜାମି ଗୁଣି ଗାରେଡି କରି ଗାଁ ଲୋକଙ୍କୁ ରୋଗଗ୍ରସ୍ତ କରୁଥିବା ନେଇ ଅଭିଯୋଗ କରି ସେହି ଗ୍ରାମର ଜଣେ ଯୁବକ କୁଂଜାମି ଇର୍ମାଙ୍କୁ ଠେଙ୍ଗାରେ ମୁଣ୍ଡକୁ ପିଟି ହତ୍ୟା କରିଛି।
ସୂଚନା ଅନୁଯାୟୀ ଗତ ୧ତାରିଖ ରାତି ନୂଆ ବର୍ଷ ଦିନ କୁଂଜାମି ଇର୍ମା ଖାଇସାରି ଘରକୁ ଶୋଇବାକୁ ଯାଇଥିଲେ। ତେବେ ପରଦିନ ସକାଳୁ ସେ ନିଖୋଜ ହୋଇଯାଇଥିଲେ। ତାଙ୍କ ପୁଅ ଦୁଇ ଦିନ ଧରି ଆଖପାଖରେ ଖୋଜାଖୋଜି କରିବା ପରେ ଆଜି ଗାଁର ବୟଜ୍ୟୋଷ୍ଠ ବ୍ୟକ୍ତିଙ୍କ ଠାରେ ବାପା ନିଖୋଜ ବାବଦରେ ଜଣାଇଥିଲେ। ଏହାପରେ ଗ୍ରାମବାସୀଙ୍କ ପରାମର୍ଶକ୍ରମେ ଇର୍ମାଙ୍କ ପୁଅ ପଡିଆ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ଟିମ୍ ଗଠନ କରି ତଦନ୍ତ ବେଳେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି। ଏନେଇ ପଡିଆ ଥାନାରେ ଏକ ମାମଲା ରୁଜୁ କରାଯାଇଛି ବୋଲି ଥାନା ଅଧିକାରୀ ଗୌରାଙ୍ଗ ଚରଣ ମହାନ୍ତି କହିଛନ୍ତି। ଗତ ଦିନରେ ସିଲାକୋଟା, ବାପନପାଲ୍ଲୀ ଠାରେ ମଧ୍ୟ ଗୁଣିଗାରେଡି ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ମାରି ଦିଆଯାଇଥିଲା। ତେବେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଉଥିବାରୁ ଏଦିଗରେ ସଚେତନ ପାଇଁ ସରକାରଙ୍କ ତରଫରୁ ବିହିତ ପଦକ୍ଷେପ ଗ୍ରହଣ କରାଯିବା ଦରକାର ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର