ପୁରସ୍କାର ଘୋଷିତ ନକ୍ସଲ ଦମ୍ପତ୍ତିଙ୍କ ବିଜାପୁରରେ ଆତ୍ମସମର୍ପଣ, ମହରାଷ୍ଟ୍ରରୁ ଗିରଫ ହେଲେ ପତି-ପତ୍ନୀ ରମନ୍ନା-ପଦ୍ମା

ରମନ୍ନା-ପଦ୍ମାଙ୍କ ନାମରେ ଓଡ଼ିଶା, ଛତିଶଗଡ଼ ଓ ମହାରାଷ୍ଟ ସରକାର ଘୋଷଣା କରିଥିଲେ ୫୦ ଲକ୍ଷ

ମାଲକାନଗିରି: ପୁରସ୍କାର ଘୋଷିତ ନକ୍ସଲ ଦମ୍ପତ୍ତି ଶନିବାର ପଡୋଶୀ ଛତିଶଗଡ଼ର ବିଜାପୁର ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାର ଏକ ଜଙ୍ଗଲରୁ ଶୁକ୍ରବାର ରାତିରେ ମାଓବାଦୀ ରମନ୍ନା ଓ ପତ୍ନୀ ପଦ୍ମା ଗିରଫ ହୋଇଛନ୍ତି।

ଛତିଶଗଡ଼ରେ ଆତ୍ମସମର୍ପଣ କରିଥିବା ନକ୍ସଲ ବୋଡ଼କି କୋଭାସିଙ୍କ ନାମରେ ୩ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିବା ବେଳେ, ପତ୍ନୀ ଗାଙ୍ଗୀ ମାଡ଼କାମୀଙ୍କ ନାମରେ ପୁଲିସ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା। ଉଭୟ ନକ୍ସଲ ଅଗ୍ନିକାଣ୍ଡ, ରେଳଧାରଣା ଉଡ଼ାଇବା, ଏନ୍‌ଏମ୍‌ଡିସିରେ କନ୍‌ଭେୟର ବେଲ୍ଟ ଜଳାଇବା ଆଦି କାମ କରିଥିଲେ। ଆତ୍ମସମର୍ପଣ ପରେ ତାଙ୍କୁ ପ୍ରଥମେ ୧୦-୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦିଆଯାଇଥିଲା।

ସେହିଭଳି ଗୁଇନ୍ଦା ବିଭାଗ ପକ୍ଷରୁ ବିଶେଷ ଭାବରେ ସୂଚନା ମିଳିବା ପରେ ମହାରାଷ୍ଟ୍ର ପୁଲିସ ରମନ୍ନା ଓରଫ ଶ୍ରୀନିବାସ ଓ ପଦ୍ମା ଓରଫ ଲତାଙ୍କୁ ଅଧ ରାତିରେ ଚଢ଼ାଉ କରି ଗିରଫ କରିଛି। ଉଭୟ ପତି-ପତ୍ନୀ ଦୀର୍ଘ ୪୦ ବର୍ଷ ଧରି ମାଓ ଗତିବିଧି କାର୍ଯ୍ୟରେ ସଂପୃକ୍ତ ଥିଲେ। ମାଲକାନଗିରିରେ ସକ୍ରିୟ ଥିବା ବେଳେ ରମନ୍ନା ଛତିଶଗଡ଼ର ଦଣ୍ଡକାରଣ୍ୟ ଅଞ୍ଚଳରେ ମୁଖ୍ୟ ନେତା ଥିଲେ। ତାଙ୍କ ନାମରେ ଓଡ଼ିଶା, ଛତିଶଗଡ଼ ଓ ମହାରାଷ୍ଟ୍ର ସରକାର ୫୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର