ବିଚ୍ଛିନ୍ନାଞ୍ଚଳରେ ନକ୍ସଲଙ୍କ ନିର୍ଯାତନା:୨ ପରିବାର ଗାଁ ଛାଡ଼ିଲେ

ମାଲକାନଗିରି/ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବିଚ୍ଛିନ୍ନାଞ୍ଚଳରେ ନକ୍ସଲଙ୍କ ଦ୍ୱାରା ପୁଣି ନିର୍ଯାତିତ ହୋଇଛନ୍ତି ୨ ପରିବାର। ପରିସ୍ଥିତି ଏମିତି ହେଲା ଯେ, ଦୁଇ ପରିବାର ଗାଁ ଛାଡ଼ିବାକୁ ବାଧ୍ୟ ହୋଇ ଏବେ ନିରାପଦ ଆଶ୍ରୟ ଖୋଜୁଛନ୍ତି। ଭିଟା ମାଟି ଛାଡ଼ିବା ପରେ ପରିବାରକୁ ଧରି ଏଣେ ତେଣେ ବୁଲୁଛନ୍ତି। ପ୍ରଶାସନ କିମ୍ବା ପୁଲିସ ପକ୍ଷରୁ ସେମାନଙ୍କୁ ଏପର୍ଯ୍ୟନ୍ତ କୌଣସି ପ୍ରକାର ସହାୟତା ଯୋଗାଇ ଦିଆଯାଇ ନାହିଁ।
ସୂଚନା ଅନୁଯାୟୀ, କୁଡୁମୁଲୁଗୁମ୍ମା ଆଞ୍ଚଳିକ କମିଟି ପକ୍ଷରୁ ବିଚ୍ଛିନ୍ନାଞ୍ଚର ଯୋଡାମ୍ବ ପଞ୍ଚାୟତ ଅନ୍ତର୍ଗତ ପଳାସପଦର ଗାଁରେ ୨ଦିନ ତଳେ ପ୍ରଜାକୋର୍ଟ ବସିଥିଲା। ଗ୍ରାମବାସୀଙ୍କୁ ଡକାଇ ସମର୍ଥନ ମାଗିଥିଲେ। ଏହାପରେ ପୂର୍ବରୁ ହିଁ ଟାର୍ଗେଟରେ ରହିଥିବା ତ୍ରିନାଥ ଖିଲ ଏବଂ ମଦନ ଖିଲଙ୍କୁ ପୁଲିସ ଇନଫର୍ମର ବୋଲି ଆଖ୍ୟା ଦେଇ ବିଚାର ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ଏକତରଫା ଭାବେ ବିଚାର ପ୍ରକ୍ରିୟା କରି ଦୁହିଁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହାପରେ ଦୁହିଁଙ୍କୁ ନିର୍ଧୁମ ପିଟିଥିଲେ। ଏତିକିରେ ନକ୍ସଲଙ୍କ ନିର୍ଯାତନା ଥମି ନଥିଲା। ଦୁହିଁଙ୍କ ପରିବାରକୁ ଆଦୌ ସହଯୋଗ ନକରି ବାସନ୍ଦ କରିବାକୁ ଉପସ୍ଥିତ ଗ୍ରାମବାସୀଙ୍କୁ ତାଗିଦ୍‌ କରିଥିଲେ। ଯଦି ଗାଁରେ ରହିବାକୁ ଚାହୁଁଛ ତାହାହେଲେ ନକ୍ସଲଙ୍କ କଥା ମାନି ଚଳିବାକୁ ପଡ଼ିବ। ସଂଗଠନର କେହି ସଦସ୍ୟ ଆସିଲେ ଖାଇବା ଦେବାକୁ ହେବ। ଏଥିରେ ଖିଲାପ କଲେ ନିଶ୍ଚିତ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ଚେତାବନୀ ଦେଇଥିଲେ। ତେଣୁ ଗ୍ରାମବାସୀ ଚୁପ୍‌ ହୋଇ ସବୁ ଶୁଣିଥିଲେ। ମୁହଁ ଖୋଲିବାକୁ ସାହସ କରି ନଥିଲେ। ଅନ୍ୟପକ୍ଷରେ ବାସନ୍ଦ ଆଦେଶ ପାଇବା ପରେ ମଦନ ଏବଂ ତ୍ରିନାଥଙ୍କ ପରିବାର ଗାଁ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ପିନ୍ଧା ଲୁଗା ବ୍ୟତୀତ ଅନ୍ୟ କିଛି ଆଣିବା ପାଇଁ ସୁଯୋଗ ପାଇ ନଥିଲେ। ରାତାରାତି ଗାଁ ଛାଡ଼ି ଚାଲିଚାଲି ଯନ୍ତାପାଇ ଆସିଥିଲେ। ଦୁଇ ପରିବାରର ପ୍ରାୟ ୧୩ଜଣ ସଦସ୍ୟ ପୂରା ରାତି ଜଙ୍ଗଲରେ ବିତାଇ ପରଦିନ ଚିତ୍ରକୋଣ୍ଡାରେ ପହଞ୍ଚିଥିଲେ।
ନକ୍ସଲ ଦମନ ଅଭିଯାନ ଜୋରଦାର ହେବାପରେ ବିଚ୍ଛିନ୍ନାଞ୍ଚଳରେ ନକ୍ସଲଙ୍କ ନିର୍ଯାତନା ଦିନକୁ ଦିନ ବଢିବାରେ ଲାଗିଛି। ଏପରିକି ଯେଉଁ ଗ୍ରାମବାସୀଙ୍କ ଠାରୁ ସେମାନେ ଖାଦ୍ୟ ସଂଗ୍ରହ କରୁଛନ୍ତି ସେମାନଙ୍କୁ ହିଁ ପରବର୍ତୀ ସମୟରେ ନର୍ଯାତନା ଦେଉଛନ୍ତି। ତେଣୁ ଲୋକେ ଅତିଷ୍ଠ ହେଲେଣି। କିଛି ଜଣ ବାଧ୍ୟ ବାଧକତାରେ ଗାଁ ଛାଡ଼ୁଥିବା ବେଳେ ପ୍ରଶାସନ ତରଫରୁ ସେମାନଙ୍କୁ ସୁରକ୍ଷା ମିଳୁନଥିବାରୁ ବାଧ୍ୟ ହୋଇ କିଛି ଜଣ ଗାଁରେ ନକ୍ସଲଙ୍କ ଶରଣାଗତ ହୋଇ ରହୁଛନ୍ତି। ପୁଣି ଗତକାଲି ଯନ୍ତ୍ରୀ ଠାରେ ଜଣକୁ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ବିଚ୍ଛିନ୍ନାଞ୍ଚଳରେ ବାରମ୍ବାର ଏମିତି ଘଟଣା ଘଟିବା ଦ୍ୱାରା ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ପ୍ରଶାସନ ଏବଂ ପୁଲିସ ତୁରନ୍ତ ବିସ୍ଥାପିତ କରିବାରକୁ ସହାୟତା ଯୋଗାଇ ଦେବା ସହ ଲୋକଙ୍କୁ ସହଯୋଗ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର