ପୁଲିସ କର୍ମଚାରୀଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ସୀମାନ୍ତ ଛତିଶଗଡରେ ନକ୍ସଲ ପୁଣି ହିଂସାକାଣ୍ଡ ଘଟାଇଛନ୍ତି। ଜଣେ ପୁଲିସ କର୍ମଚାରୀଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରିଛନ୍ତି। ପୁଲିସ ସୂଚନା ଅନୁଯାୟୀ, ମୃତ ପୁଲିସ କର୍ମଚାରୀ ଗଣେଶ ଓରଫ ରବି ପୂର୍ବରୁ ନକ୍ସଲ ସଂଗଠନ ପାଇଁ କାମ କରୁଥିଲେ। କିଛି ବର୍ଷ ତଳେ ସେ ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଏହାପରେ ଆତ୍ମନିର୍ଭରଶୀଳ ଯୋଜନାରେ ତାଙ୍କୁ ପୁଲିସ ବାହିନୀରେ ନିଯୁକ୍ତି ଦିଆଯାଇଥିଲା। ତେବେ ଗତକାଲି ବାଗନଦୀ ଅଂଚଳର ବଂଜାରୀ ନିକଟରେ ରହୁଥିବା ଭୁପାଲ ମଣ୍ଡୋଲଇଙ୍କ ଝିଅ ରେଣୁକାର ବିବାହ ଥିଲା। ବରଯାତ୍ରୀ ଭିଲାଇ ଅଂଚଳର କୋହକା ନିକଟସ୍ଥ ସିରସା ଗ୍ରାମରୁ ଆସିଥିଲେ।

ରାତି ପ୍ରାୟ ୧୧ଟାରେ ବରଯାତ୍ରୀ ନାଚଗୀତିରେ ମସଗୁଲ ରହିଥିବା ବେଳେ ଗହଳିର ସୁଯୋଗ ନେଇ ନକ୍ସଲ ଗାଁରେ ପଶିଥିଲେ। ଗଣେଶଙ୍କୁ ଅତି ନିକଟରୁ ଗୁଳି କରି ସେଠାରୁ ଚାଲି ଯାଇଥିଲେ। ଗୁରୁତର ଅବସ୍ଥାରେ ଗଣେଶଙ୍କୁ ରାଜନନ୍ଦଗାଓଁ ଜିଲ୍ଲା ହସ୍ପିଟାଲକୁ ନିଆ ଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା। ନକ୍ସଲଙ୍କ ଗୁଳିରେ ଅନ୍ୟ ଜଣେ ଗ୍ରାମବାସୀ ବି ଆହତ ହୋଇଥିବା ସୂଚନା ମିଳିଛି। ଏହି ବୀଭତ୍ସ କାଣ୍ଡ ଘଟାଇବା ପୂର୍ବରୁ ନକ୍ସଲ ଗାଁର ଭୁପାଲ ମାଣ୍ଡଲୋଇଙ୍କ ବଡ ପୁଅଙ୍କ ମୋବାଇଲ ଛଡାଇ ନେଇଯାଇଥିଲେ ବୋଲି ଅଭିଯୋଗ ହୋଇଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

ସମ୍ବନ୍ଧିତ ଖବର