ପୁଲିସକୁ ନକ୍ସଲ ସଂଗଠନର ଆହ୍ବାନ:ସାଧାରଣ ଜନତାଙ୍କ ଉପରେ ଲୁଟପାଟ ବନ୍ଦ କର

ମାଲକାନଗିରି: ଅପରେସନ ଗ୍ରିନହଣ୍ଟ ନାମରେ କେନ୍ଦ୍ର ଓ ରାଜ୍ୟ ସରକାର ଆରମ୍ଭ କରିଥିବା ଅପରେସନ ଯୋଗୁଁ ସାଧାରଣ ଜନତାଙ୍କ ଉପରେ ସୁରକ୍ଷା କର୍ମୀଙ୍କ ଅତ୍ୟାଚାର ବଢିବାରେ ଲାଗିଛି। ସାଧାରଣ ଲୋକଙ୍କୁ ସୁରକ୍ଷା କର୍ମୀ ଟାର୍ଗେଟ କରୁଛନ୍ତି। ଲୋକଙ୍କୁ ନିର୍ଯାତନା ଦେବା ସହ ମହିଳାଙ୍କ ପ୍ରତି ଦୁର୍ବ୍ୟବହାର ଦେଖାଉଛନ୍ତି ବୋଲି ନକ୍ସଲ ସଂଗଠନ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ଛତିଶଗଡର ବସ୍ତର ଡିଭିଜନାଲ କମିଟି ତରଫରୁ ଏହି ପ୍ରେସ ବିଜ୍ଞପ୍ତି ଦିଆଯାଇଛି । ଦିନ ଦ୍ବିପରରେ ପୁଲିସ ଓ ସୁରକ୍ଷା କର୍ମୀ ଲୁଟ, ହତ୍ୟା ସହ ଗିରଫ ନାମରେ ନିର୍ଯାତନା ଦିଆଯାଉଥିବା ଉଲ୍ଲେଖ କରାଯାଇଛି । ୨୦୧୮ ନଭେମ୍ବରରୁ ୨୦୧୯ ଫେବୃଆରି ପର୍ଯ୍ୟନ୍ତ ବାସାଗୁଡା, ସାରକେଗୁଡା, ବୋଟେମ ଗ୍ରାମରେ ପୁଲିସ ଲୋକଙ୍କୁ ଉଠାଇ ନିର୍ଯାତନା ଦେଇଥିବା ଅଭିଯୋଗ କରାଯାଇଛି । ସାଧାରଣ ଲୋକଙ୍କୁ ପୁଲିସ ନକ୍ସଲ ଆଖ୍ୟା ଦେଇ ଗିରଫ କରୁଛି। ଗ୍ରାମବାସୀଙ୍କ ଠାରୁ ଜବରଦସ୍ତ ଟଙ୍କା ଆଦାୟ କରାଯିବା ସହ ମିଥ୍ୟା ଏନକାଉଣ୍ଟରରେ ଲୋକଙ୍କୁ ହତ୍ୟା କରୁଛି ବୋଲି ନକ୍ସଲ ସଂଗଠନ ଅଭିଯୋଗ କରିଛି । କିଛି ଲୋକଙ୍କ ଠାରୁ ଟଂକା ନେଇ ପୁଲିସ ଛାଡିଥିବା ସହ ୨୦ ହଜାର ଟଂକା ଲେଖାଏଁ ଆଦାୟ କରାଯାଇଥିବା କୁହାଯାଇଛି । ନକ୍ସଲ ସଂଗଠନର ଅଭିଯୋଗକୁ ପୁଲିସ ଆଇଜି ଖଣ୍ଡନ କରିଛନ୍ତି। ଲୁଟେରା କିଏ ? ଏବଂ କିଏ ହତ୍ୟା କରୁଛି ତାହା ଗ୍ରାମବାସୀ ଜାଣିଛନ୍ତି । ନକ୍ସଲଙ୍କ ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର