ଯାତ୍ରୀବାହୀ ବସ୍‌କୁ ଜାଳିଦେଲେ ନକ୍ସଲ

୩ ନକ୍ସଲ ଗିରଫ, ମୋବାଇଲ ଜବତ କଲା ପୁଲିସ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଵାଡା ଜିଲ୍ଲାରେ ପୁଣି ନକ୍ସଲ ହିଂସାକାଣ୍ଡ ଘଟାଇଛନ୍ତି। ଆଜି ସକାଳେ ପ୍ରାୟ ୨୦ ଜଣ ନକ୍ସଲ ଦନ୍ତେଵାଡା ଜିଲ୍ଲାର କସୋଲୀ ଅଂଚଳରେ ଗୋଟିଏ ଯାତ୍ରୀବାହୀ ବସକୁ ନିଆଁ ଲଗାଇ ପୋଡି ଦେଇଛନ୍ତି। ବସରୁ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇବା ପରେ ସମସ୍ତଙ୍କ ଠାରୁ ମୋବାଇଲ ଲୁଟ କରି ନେଇଯାଇଥିଲେ। ପରେ ନିଆଁ ଲଗାଇ ବସଟିକୁ ପୋଡି ଦେଇଥିଲେ। ଏହି ଘଟଣାରେ ୨୦ରୁ ଊର୍ଦ୍ଧ୍ବ ନକ୍ସଲ ସାମିଲ ଥିବା ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି। ତେବେ ଘଟଣା ଘଟିବା ସଂଗେ ସଂଗେ ହିଁ ପୁଲିସ ଏବଂ ସିଆରପିଏଫ ଯବାନ ଏହି ଅଂଚଳକୁ ସିଲ କରିଦେବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଥିଲେ। ସର୍ଚ୍ଚ ଅପରେସନ ସମୟରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ବହୁ ନକ୍ସଲ ଆହତ ହୋଇଥିବା ସୂଚନା ମିଳିଛି। ତେବେ ସେମାନଙ୍କ ମଧ୍ୟରୁ ୩ ଜଣ ନକ୍ସଲଙ୍କୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି। ସେମାନଙ୍କ ଠାରୁ ଯାତ୍ରୀଙ୍କ ଠାରୁ ଲୁଟ୍ ହୋଇଥିବା ୩ଟି ମୋବାଇଲ ମଧ୍ୟ ଜବତ କରାଯାଇଛି। ପୁଲିସ କହିବା ଅନୁଯାୟୀ ଯାତ୍ରୀଙ୍କ ଠାରୁ ୧୨ଟି ମୋବାଇଲ ନକ୍ସଲ ଲୁଟ କରିନେଇଥିଲେ। ଶେଷ ଖବର ସୁଦ୍ଧା ଯବାନ ସର୍ଚ୍ଚ ଅପରେସନ ଜାରି ରଖିଥିଲେ।

ସମ୍ବନ୍ଧିତ ଖବର