‘ପୁଲିସର ଧମକକୁ ଡରିବୁ ନାହିଁ’

0 95

ମାଲକାନଗିରି/ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଗତ ଦିନରେ ନକ୍ସଲ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଥିବା ବେଳେ ନକ୍ସଲ ସଂଗଠନର କାଲିମେଳା ଆଂଚଳିକ କମିଟି ଏହାର ଜବାବ ଦେଇଛି। ପୋଲିସ ଆଦିବାସୀ ମଂଚ ଏବଂ ଆଦିବାସୀ ସଂଘ ନାମରେ ବିଭିନ୍ନ ପୋଷ୍ଟର ମାରୁଛି। ତେବେ ନକ୍ସଲ ଏହାକୁ ଡରନ୍ତି ନାହିଁ ବୋଲି ଆଜି ପ୍ରେସ ବିବୃତ୍ତିରେ ନକ୍ସଲ ସଂଗଠନ ପ୍ରକାଶ କରିଛି। ପ୍ରେସ ବିବୃତିରେ ଉଲ୍ଲେଖ ଅନୁସାରେ, ପୋଲିସ ପୋଷ୍ଟର ମାରି ଜନଆନ୍ଦୋଳକୁ ଚପାଇବା ପାଇଁ ଚେଷ୍ଟା କରୁଛି। ସୂର୍ଯ୍ୟ କିରଣକୁ ଯେଭଳି ଅଟକାଇ ହେବ ନାହଁ, ସେହିଭଳି ମାଓବାଦୀ ପାର୍ଟିକୁ ମଧ୍ୟ ଅଟକାଇବା ଅସମ୍ଭବ ବୋଲି କୁହାଯାଇଛି। ଆଦିବାସୀ ପାର୍ଟି ଏବଂ ଆଦିବାସୀ ମଂଚ ନାମରେ ଯେତେ ଚେଷ୍ଟା କଲେ ବି ମାଓବାଦୀ ଏବଂ ଆଦିବାସୀ ସଂଘ ମଧ୍ୟରେ ଫାଟ ସୃଷ୍ଟି କରିପାରିବେ ନାହିଁ। ପୋଲିସ ନିରୀହ ଲୋକଙ୍କୁ ଟାର୍ଗେଟ କରି ଜବରଦସ୍ତ ଆତ୍ମସମର୍ପଣ କରାଉଛି।

ପୁଣି ସେମାନଙ୍କୁ ପୋଲିସ ଇନଫର୍ମର କରାଇ ନକ୍ସଲ ବିରୁଦ୍ଧରେ ଲଢାଉଛି। କାମ ସରିଗଲା ପରେ ସେମାନଙ୍କୁ ମରିବା ପାଇଁ ଛାଡି ଦେଉଛି। କୁରୁବ ଗ୍ରାମର କିଛି ଲୋକ ମାଓବାଦୀ ଭୟରେ ଗାଁ ଛାଡି ଚାଲିଯାଇଛନ୍ତି। ସେମାନେ ପୋଲିସ ନିକଟରେ ପହଞ୍ଚି ଆମକୁ ଜାଗା ଓ ଘର ଦିଅନ୍ତୁ ବୋଲି କହିଥିଲେ। କିନ୍ତୁ ପୋଲିସ ସହଯୋଗ ନକରି ସେମାନଙ୍କୁ ପୁଣି ଗାଁକୁ ଫେରାଇ ଦେଇଛନ୍ତି। ତେବେ ପୋଲିସ କଥାରେ ପଡି କୁରୁବ ଗ୍ରାମର କିଛି ଲୋକ ଇନଫର୍ମର ସାଜିଛନ୍ତି। ସେମାନେ ନକ୍ସଲ ଟାର୍ଗେଟରେ ଥିବାରୁ ପୋଲିସ କାହିଁକି ସହଯୋଗ କରୁନାହିଁ ବୋଲି ନକ୍ସଲ ପ୍ରଶ୍ନ କରିଛନ୍ତି। ସେହିପରି କୁରୁବ ଗ୍ରାମରେ ଗତ କିଛି ଦିନ ତଳେ ଘଟିଥିବା ଘଟଣା ସଂପର୍କରେ ସାମ୍ବାଦିକମାନଙ୍କୁ ଡାକି ପୋଲିସ ଖବର ଦେଲେ, କିନ୍ତୁ ଇନଫର୍ମରମାନେ ଯାହା କହିଲେ ତାହାକୁ ସାମ୍ବାଦିକମାନଙ୍କୁ ନଲେଖିବା ପାଇଁ ପୋଲିସ ବାଧ୍ୟ କରିଥିଲା। ଏହା କଣ ପୋଲିସର ଦାଦାଗିରି ନାହିଁ କି ବୋଲି ପ୍ରଶ୍ନ କରିଛି। ପୁଣି ପୋଲିସ ପୋଷ୍ଟରରେ କୁରୁବ ଗ୍ରାମ ନକ୍ସଲଙ୍କ ପୈତୃକ ସମ୍ପତ୍ତି କି ବୋଲି ପଚାରିବା ସହ କୁରୁବ ଗ୍ରାମର ଲୋକଙ୍କୁ ହଇରାଣ କରିବା ବନ୍ଦ କର ନଚେତ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦେଇଥିଲେ। ତେବେ ପୋଲିସ କୁରୁବ ଗ୍ରାମର ଲୋକଙ୍କୁ ଇନ୍‌ଫର୍ମର ଭାବେ ବ୍ୟବହାର କରିବା ସମ୍ବିଧାନରେ ଲେଖା ହୋଇଛି କି ବୋଲି ପ୍ରଶ୍ନ କରାଯାଇଛି। ଇନଫର୍ମର କାମ କରିବାକୁ ଯେଉଁ ବ୍ୟକ୍ତି ମନା କରିବ ତାକୁ ପୋଲିସ ପିଟିପିଟି ବିକଳାଙ୍ଗ କରିଦେବ। ଏହା କଣ ପୋଲିସର ଦାଦାଗିରି ଏବଂ ହିଂସା ନାହିଁ କି। ଗଣତନ୍ତ୍ର ଉପରେ ବିଶ୍ୱାସ କରୁଥିବା ପୋଲିସ ଲୋକଙ୍କ ଉପରେ ଏଭଳି ନିର୍ଯାତନା ଦେଉଛି, ଲୋକେ କଣ ସେମାନଙ୍କର ପୈତୃକ ସମ୍ପତ୍ତି କି ବୋଲି ନକ୍ସଲ ଓଲଟା ପ୍ରଶ୍ନ କରିଛନ୍ତି। ତେଣୁ ପୋଲିସ ମାଓବାଦୀ ବିରୋଧୀ ପୋଷ୍ଟର ମାରିଲେ କେବେ ମଧ୍ୟ ଡରିବୁ ନାହିଁ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।
ସୂଚନା ଥାଉକି, କାଲିମେଳା ଆଂଚଳିକ କମିଟି ପ୍ରେସ ବିବୃତ୍ତି ଦେଇ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛି। ତେବେ ପୋଲିସ ଏବଂ ନକ୍ସଲ ମଧ୍ୟରେ ଚାଲିଥିବା ଛାୟାଯୁଦ୍ଧ କେବେ ସରିବ ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.