ଝାଡାବାନ୍ତିରେ ବୃଦ୍ଧଙ୍କ ମୃତ୍ୟୁ: ଶୋଚନୀୟ ରାସ୍ତା ଯୋଗୁଁ ମେଡିକାଲ ଯାଇପାରିଲେନି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବର୍ଷା ବିତ୍ପାତ ପରେ ଏବେ ସ୍ଥିତି ଅଧିକ ସଂଗୀନ ହୋଇପଡିଛି। ଗାଁ ଗହଳିରେ ସଂକ୍ରାମକ ରୋଗ ବ୍ୟାପିବାରେ ଲାଗିଛି। ଲୋକେ ଏଥିରୁ ବର୍ତ୍ତିବା ପାଇଁ ଦିଶାରୀ ଓ ଗୁଣିଆଙ୍କ ସରଣାପନ୍ନ ହେଉଛନ୍ତି। ତେବେ ଅଜି ଖଇରପୁଟ ବ୍ଲକ ଗୋବିନ୍ଦପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଗଜିଆଗୁଡା ଗାଁରେ ଆଜି ଜଣେ ବୃଦ୍ଧ ଝାଡାବାନ୍ତିରେ ମୃତ୍ୟୁବରଣ କରିଛନ୍ତି। ଗତ ମାସକ ମଧ୍ୟରେ ଏହା ତୃତୀୟ ମୃତ୍ୟୁ ବୋଲି ଗ୍ରାମବାସୀ ଅଭଯୋଗ କରିଛନ୍ତି। ଲୋକଙ୍କ କହିବା ହେଲା ନନ୍ଦ ଶିଶା (୬୦) ଗତ ତିନି ଦିନ ହେଲା ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଘରେ ପଡି ରହିଥିଲେ। ପରିବାର ଲୋକେ ତାଂକୁ ମେଡିକାଲ ନେବା ପାଇଁ ଇଛା ପ୍ରକାଶ କରିଥିଲେ ମଧ୍ୟ ଶୋଚନୀୟ ରାସ୍ତା ଏବଂ ସପ୍ତଧାରା ନଦୀ ବାଟ ଛାଡ଼ି ନଥିଲା। ତଥାପି ଗ୍ରାମବାସୀ ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହୋଇ ମେଡିକାଲ ନେବାକୁ ପ୍ରସ୍ତୁତ ହୋଇଥିଲେ। କାଉଡି କରି ନନ୍ଦଙ୍କୁ ବହୁ କଷ୍ଟରେ ଚାଲି ଚାଲି ସପ୍ତଧାରା ନଦୀ ପର୍ଯ୍ୟନ୍ତ ଆଣିଥିଲେ। କିନ୍ତୁ ସପ୍ତଧାରା ନଦୀରେ ସ୍ରୋତ ପ୍ରଖର ଥିଲା। ଡଂଗା ମଧ୍ୟ ପାଣିରେ ବୁଡିଯାଇଥିଲା। ତେଣୁ କିପରି ବୃଦ୍ଧଙ୍କୁ ନଦୀ ପାର କରାଇବେ ଚିନ୍ତାରେ ପଡିଥିଲେ। ବାଧ୍ୟ ହୋଇ ଗ୍ରାମବାସୀ ନନ୍ଦ ଶିଶାଙ୍କୁ ପୁଣି ଘରକୁ ନେଇଗଲେ। ଏହାପରେ ଘରେ ନନ୍ଦଙ୍କ ମୃତ୍ୟୁ ହୋଇଯାଇଥିଲା।
ସୂଚନାଯୋଗ୍ୟ, ଗୋବିନ୍ଦପାଲ୍ଲୀ ଠାରୁ ଗଜିଆଗୁଡା ମାତ୍ର ୫ କିଲୋମିଟର ଦୂର। ତେବେ ଏହି ପାଞ୍ଚ କିଲୋମିଟର ମଧ୍ୟରେ ସପ୍ତଧାରା ନଦୀ ପ୍ରବାହିତ ହେଉଛି। ନଦୀରେ ପୋଲ ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଏବଂ ରାଜନେତାଙ୍କ ପାଖରେ ଗ୍ରାମବାସୀ ଗୁହାରି କରିଥିଲେ ମଧ୍ୟ କେହି ଶୁଣୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ନଦୀ ପାର ହେବା ପରେ ଆଉ ଏକ ବିପଦପୂର୍ଣ୍ଣ ରାସ୍ତା ପାର ହେବାକୁ ପଡିବ। ଏହି ରାସ୍ତା ଏତେ ଶୋଚନୀୟ ହୋଇପଡିଛି ଯେ ପାଦରେ ଚାଲି ଯିବା ମଧ୍ୟ କଷ୍ଟକର ହୋଇପଡୁଛି। ଆମ୍ବୁଲେନସ ତ ଯିବା ଅସମ୍ଭବ। ଦୁଇ ଚକିଆ ଯାନ ଯେଉଁ ରାସ୍ତାରେ ଯିବା କଷ୍ଟ, ସେଠି ଚାରି ଚକିଆ କେମିତି ଯିବ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ପ୍ରତି ପାଞ୍ଚ ବର୍ଷରେ ଥରେ ନେତା ଭୋଟ ପାଇଁ ଆସି ରାସ୍ତା ଓ ଗଜିଆଗୁଡା ଘାଟରେ ବ୍ରିଜ ନିର୍ମାଣ ନେଇ ପ୍ରତିଶ୍ରୁତି ଦେଇଥାନ୍ତି। ଭୋଟ ନେବା ପରେ ଏହି ପ୍ରତିଶ୍ରୁତିକୁ ଭୁଲିଯାଇଥାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଆଗକୁ ନିର୍ବାଚନ ରହିଥିବା ବେଳେ ଯଦି କୌଣସି ନେତା ଗ୍ରାମକୁ ଆସନ୍ତି ତେବେ ସେମାନଙ୍କୁ ଗ୍ରାମରୁ ତଡାଯିବ ବୋଲି ଚେତାବନୀ ଦେଇଥିଲେ। ପ୍ରଥମେ ରାସ୍ତା ଓ ପରେ ବ୍ରିଜ ନିର୍ମାଣ କରିବା ପାଇଁ ଦାବି କରାଯିବ। ଏହା ସରିବା ପରେ ହିଁ ଗ୍ରାମକୁ ନେତାଙ୍କୁ ପଶାଇବୁ ବୋଲି କୁହାଯାଇଛି।
ଗତ ମାସକ ମଧ୍ୟରେ ଗଜିଆଗୁଡାରେ ତିନି ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରଶାସନ ଏନେଇ କୌଣସି ପ୍ରକାର ପଦକ୍ଷେପ ନନେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବାରମ୍ବାର ଗଜିଆଗୁଡାରେ ସଂକ୍ରାମକ ରୋଗ ବ୍ୟାପିବା ନେଇ ଖବର ପ୍ରକାଶ ପାଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଆଖି ବୁଜି ବସିବା ସଂଦେହ ସୃଷ୍ଟି କରିଛି। ଆଉ କେତେ ଜଣ ମଲେ ଗଜିଆଗୁଡାକୁ ରାସ୍ତା ଏବଂ ବ୍ରିଜ ହେବ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ତୁରନ୍ତ ଗଜିଆଗୁଡା ଘାଟରେ ବ୍ରିଜ ଏବଂ ଗଜିଆଗୁଡାକୁ ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର