୬କ୍ୱିଣ୍ଟାଲ ଗଂଜେଇ ଜବତ, ୪ଗିରଫ

କାଲିମେଳା/ମାଲକାନଗିରି: ଏକ କଣ୍ଟେନରରେ ଗଞ୍ଜେଇ ଚାଲାଣ ବେଳେ ମାଲକାନଗିରି ଜିଲ୍ଲାର କାଲିମେଳା ପୁଲିସ ହାବୁଡ଼ରେ ପଡ଼ିଛନ୍ତି ଗଞ୍ଜେଇ ମାଫିଆ। ପୁଲିସ ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ଟିଏସ୍‌୧୨-ୟୁବି ୫୭୮୩ ନବର ଏକ କଣ୍ଟେନର ଗାଡ଼ିରେ ଗଂଜେଇ ଚୋରା ଚାଲାଣ ହେଉଥିବାର ଖବର ପୁଲିସ ନିକଟରେ ପହଁଞ୍ଚିଥିଲା। ଗାଡ଼ିଟି କାଲିମେଳାରୁ ଗଂଜେଇ ନେଇ ତେଲେଙ୍ଗାନା ଯାଉଥିବାର ସୂଚନା ପାଇବାପରେ କାଲିମେଳା ଥାନା ଅଧିକାରୀ ରାମପ୍ରସାଦ ନାଗ ସଦଳବଳେ ଗାଡିଟିକୁ ପିଛା କରି କାଲିମେଳା-ପଡ଼ିଆର ରାସ୍ତାର ପୁଷୁଗୁଡ଼ା ଗ୍ରାମ ନିକଟରେ ଧରିଥିଲେ। ଗାଡ଼ି ଭିତରେ ୨୬ଟି ଜରି ବସ୍ତାରେ ୬କ୍ୱିଣ୍ଟାଲ ୧୪କେଜି ଗଂଜେଇ ଥିବାର ଦେଖାଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ୬୦ଲକ୍ଷ ଟଙ୍କାରୁ ଉର୍ଧ୍ୱ ହେବ। କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୭୦ ଗ୍ରାମର ଶଙ୍କର ଦାସ ଓ ତେଲେଙ୍ଗାନା ରାଜ୍ୟର ୩ଜଣ ଗଂଜେଇ ମାଫିଆକୁ ପୁଲିସ ଗିରଫ କରିବାରେ ସଫଳ ହୋଇଥିଲା। ତେଲେଙ୍ଗାନା ରାଜ୍ୟର ଯେଉଁ ୩ଜଣ ଗଂଜେଇ ମାଫିଆଙ୍କୁ ଗିରଫ କରାଯାଇଛି ସେମାନେ ହେଲେ ସହମ୍ମଦ ସରିଫ୍‌(୩୫), ଘର ତେଲେଙ୍ଗାନା ରାଜ୍ୟର ରଂଗାରେଡ଼ି ଜିଲ୍ଲା ଅନ୍ତର୍ଗତ କୁସିଆଗୁଡ଼ା ଥାନାର ସନିକପୁରୀ ଗ୍ରାମରେ। ସୟଦ କାଦର ବାସା(୩୭) ସେଇ ତେଲେଙ୍ଗାନା ରାଜ୍ୟର ରଂଗାରେଡ଼ି ଜିଲ୍ଲା ଅନ୍ତର୍ଗତ ଚନାପୁରମ ଥାନା ଜବାହର ନଗର ର ଦେବେନ୍ଦ୍ର ନଗର ଗ୍ରାମରେ। ସେହିପରି ଅନ୍ୟଜଣେ ହେଲେ ମହମ୍ମଦ ଘାଉଷ(୪୫) ଗ୍ରାମ ହେଉଛି ସେଇ ରଂଗାରେଡ଼ି ଜିଲ୍ଲା ଅନ୍ତର୍ଗତ ଭେଙ୍କଟଶ୍ୱର କଲୋନିର ନାଗାରାମ ଗ୍ରାମରେ। ଏମାନଙ୍କ ନାମରେ କାଲିମେଳା ଥାନା କେସ ନଂ ୮୬/୧୭ ଏନଡ଼ିପିଏସ ଦଫା ୨୦(ବି)ଅନୁସାରେ ମାମଲା ରୁଜୁ କରାଯାଇଛି।
ଏଠାରେ ସୂଚନାଯୋଗ୍ୟ ପଡ଼ୋଶୀ ଛତିଶଗଡ଼ ରାଜ୍ୟକୁ ଲାଗିଥିବା ସାବେରୀ ନଦୀରେ ଓଡ଼ିଶାର କମାରଗୁଡ଼ା ଘାଟରେ ଛତିଶଗଡ଼ ସରକାରଙ୍କ ଦ୍ୱାରା ଗତବର୍ଷ ପୋଲ ନିର୍ମାଣ ହୋଇଥିବାରୁ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟକୁ ସିଧାସଳଖ ସଡ଼କପଥରେ ଯାତାୟତ ସମ୍ଭବ ହୋଇପାରିଛି। ଫଳରେ ମାଲକାନଗିରିରୁ ଦୈନିକ ଚୋରା ଗଂଜେଇ ସହ ଚୋରାରେ ଧାନ ଟ୍ରକ ମଧ୍ୟ ଚାଲାଣ କରାଯାଉଥିବା ଜଣାପଡ଼ିଛି। କାଲିମେଳାରୁ ଏହି କମାରଗୁଡ଼ା ପୋଲର ଦୂରତା କିଲୋମିଟର। ରାସ୍ତାର କୌଣସି ସ୍ଥାନରେ ତନଖି ଫାଟକ କିମ୍ବା ପୁଲିସ ଚେକପୋଷ୍ଟ ନଥିବାରୁ ଅବାଧରେ ଗଂଜେଇ ଚାଲାଣ ହେଉଛି।

ସମ୍ବନ୍ଧିତ ଖବର