ଆତ୍ମଘୋଷିତ ବାବାଙ୍କ ପୁନଃରୋଗୀ ସେବା

ମାମଲା ରୁଜୁ କଲା ସ୍ୱାସ୍ଥ୍ୟ ବିଭାଗ

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମପିଭି-୭୬ ଗ୍ରାମର ଆତ୍ମଘୋଷିତ ବାବା ପତିତ ମଣ୍ଡଳ ପ୍ରଶାସନର କଟକଣା ସତ୍ୱେ ପୁଣି ରୋଗୀଙ୍କ ଚିକିତ୍ସା ଆରମ୍ଭ କରିଛି। ତେଣୁ କିଛି ଦିନ ଧରି ଶୂନଶାନ ହୋଇ ଯାଇଥିବା ବାବାଙ୍କ ଘରେ ପୁଣି ଗହଳି ଚହଳି ଦେଖିବାକୁ ମିଳିଛି। ପ୍ରଶାସନର ନିର୍ଦେଶକୁ ବାବା ବେଖାତିର କରିଥିବାରୁ ଶେଷରେ ବାଧ୍ୟ ହୋଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏମଭି-୭୯ ଥାନାରେ ଏତଲା ଦିଆଯାଇଛି। ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଅଜୟ କୁମାର ବୈଠାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଏମଭି-୭୯ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଡ଼ିସେମ୍ବର ୩୧ ତାରିଖ ଦିନ ଏହି ଅଭିଯୋଗ ପୁଲିସ ନିକଟରେ କରାଯାଇଥିଲେ ମଧ୍ୟ ବାବା ମାମଲାକୁ ଖାତିର ନକରି ପୁଣି ଚିକିତ୍ସା ଆରମ୍ଭ କରିଛନ୍ତି।
ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଡ଼ିସେମ୍ବର ୩୧ତାରିଖ ରବିବାର ଦିନ ଉକ୍ତ ଗ୍ରାମକୁ ଯାଇ ବାବାଙ୍କ ଚିକିତ୍ସା ନିଜେ ଦେଖିଥିଲେ। ସେଠାରୁ ଫେରିବା ପରେ ସ୍ୱାସ୍ଥ୍ୟ ବିଭାଗକୁ ତୁରନ୍ତ ଏତଲା ଦେବାକୁ ନିର୍ଦେଶ ଦେଇଥିଲେ। ତେଣୁ ସେହିଦିନ ସଂଧ୍ୟାରେ ଏଡ଼ିଏମଓ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେହିପରି ଗାଁରେ ଏକ ମୋବାଇଲ ହେଲ୍‌ଥ ୟୁନିଟ ରହିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିବା ଜଣାପଡିଛି।

ପ୍ରତ୍ୟେକ ଦିନ ବାବାଙ୍କ ଘରେ ଶହଶହ ଲୋକଙ୍କ ଭିଡ଼ ହେଉଥିବାରୁ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ପୁଲିସକୁ ଲିଖିତ ଭାବରେ ଜଣାଇଦେଇଛୁ ବୋଲି ଏଡ଼ିଏମଓ ପ୍ରକାଶ କରିଛନ୍ତି। ସେପଟେ ବାବାଙ୍କ ନାମରେ କୌଣସି ଅପରାଧିକ ମାମଲା ରୁଜୁ କରାଯାଇ ନଥିବାରୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରୁନାହିଁ ବୋଲି ଏମଭି-୭୯ ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ସେହିପରି ବାବାଙ୍କ ନିକଟକୁ ଯାଇଥିବା କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ଼ାକ୍ତର ଆବିଦ ହୁସେନ ଖାନଙ୍କ ମତରେ ବାବା ଯେଉଁ ନଡ଼ିଆ ଓ ସୋରିଷ ତେଲ ରୋଗୀଙ୍କୁ ଲଗାଇବାକୁ ଦେଉଛନ୍ତି ସେଥିରେ ରୋଗ ଭଲ ହେବାର ଗୁଣ ନାହିଁ ବୋଲି ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, କାଲିମେଳା ବ୍ଲକ ଅନ୍ତର୍ଗତ ଏମପିଭି-୭୬ ଗ୍ରାମର ପତିତ ମଣ୍ଡଳ ନିଜକୁ ମଶାଣିଚଣ୍ଡୀଙ୍କ ଅବତାର କହି ରୋଗୀଙ୍କୁ ନଡ଼ିଆ ଓ ସୋରିଷ ତେଲ ଲଗାଇବାକୁ ଦେଉଛନ୍ତି। ବାବା ମଶାଣିରୁ ରାତିରେ ବିଭୁତି ଆଣି ତେଲ ସହ ମିଶାଇ ରୋଗୀଙ୍କ ଶରୀରରେ ମାଲିସ କରିଦେଲେ ରୋଗ ଭଲ ହୋଇଯାଉଛି ବୋଲି ପ୍ରଚାର ହେବାପରେ ବାବାଙ୍କ ଘର ଆଗରେ ଭିଡ଼ ଦେଖିବାକୁ ମିଳିଛି। ଅନ୍ଧ ବିଶ୍ୱାସର ବଶବର୍ତି ହୋଇ ଲୋକେ ଭଲ ହେବାକୁ ଜଣେ ବାବାଙ୍କ ନିକଟକୁ ଯାଉଥିବାରୁ ଲୋକଙ୍କୁ ସଚେତନ କରିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର