ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିକୁ ଜାତୀୟ ମଶା ବାହିତ ରୋଗ ନିରାକରଣ ବିଭାଗର ଏକ ରାଜ୍ୟସ୍ତରୀୟ ଡାକ୍ତରୀ ଦଳ ଆସି ଖଇରପୁଟ, ମୁଦିଲିପଡା, ତୁଷେଇପଡା ଗ୍ରାମକୁ ଯାଇ ସର୍ବେକ୍ଷଣ କରିଥିଲେ। ଏହି ଦଳରେ ଡାକ୍ତର ପ୍ରମିଳା ବରାଳ ଉପସ୍ଥିତ ରହି ମ୍ୟାଲେରିଆ ରୋଗରେ ପୀଡିତ ହେଉଥିବା ଗ୍ରାମଗୁଡିକରେ ବୁଲି ଲୋକଙ୍କୁ ମଶାରି ମିଳିଛି କି ନାହିଁ ଏବଂ ଏହାର ବ୍ୟବହାର କରୁଛନ୍ତି କି ନାହିଁ ସେନେଇ ପଚାରି ବୁଝିଥିଲେ। ସେ ଘରକୁ ଘର ବୁଲି ମଶାରି ବ୍ୟବହାରର ଉପକାରିତା ସଂପର୍କରେ ବଣ୍ଡା ମହିଳାମାନଙ୍କୁ ବୁଝାଇଥିଲେ। ତେବେ ଗ୍ରାମବାସୀ ମଶାରି ବ୍ୟବହାର କରୁଥିବାରୁ ସେମାନଙ୍କୁ ପ୍ରଶଂସା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ମ୍ୟାଲେରିଆ ନିରାକରଣ ନିମନ୍ତେ ସ୍ୱାସ୍ଥ୍ୟକର୍ମୀମାନଙ୍କ ଦ୍ୱାରା ଅନେକ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବାରୁ ଦୁର୍ଗମ ଅଂଚଳରେ ରହୁଥିବା ବଣ୍ଡାମାନଙ୍କୁ ମ୍ୟାଲେରିଆ ହେଉନଥିବା ଦେଖିବାକୁ ମିଳିଥିଲା। ଏହି ଆଦିବାସୀ ଅଂଚଳଗୁଡିକରେ ମ୍ୟାଲେରିଆ ପ୍ରକୋପ ସବୁଠାରୁ ବେଶୀ ରହିଥିଲା। କିନ୍ତୁ ସ୍ୱାସ୍ଥ୍ୟକର୍ମୀ, ଅଂଗନୱାଡି କର୍ମୀ ଏବଂ ଆଶାକର୍ମୀମାନଙ୍କ ଦ୍ୱାରା ଦମନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବା ଦ୍ୱାରା ମ୍ୟାଲେରିଆ କମିଥିବା କୁହାଯାଇଥିଲା। ପରେ ଖଇରପୁଟ ଡାକ୍ତରଖାନାରେ ନିରାମୟ ଯୋଜନାର ସମୀକ୍ଷା କରିଥିଲେ। ଏହି ଦଳରେ ମାଲକାନଗିରି ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡାକ୍ତର ରମେଶ ଚନ୍ଦ୍ର ମିଶ୍ର, ମଶାବାହିତ ରୋଗ ପରାମର୍ଶଦାତା ଅଜିତ କୁମାର ଦଳାଇ, ଦିବ୍ୟ ରଂଜନ ଦାନୀ, ଡାକ୍ତର ଦେବବ୍ରତ ବାରିକ, ଦୀପକ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ।