ନୂଆ ଭବିଷ୍ୟତ ଗଢ଼ିବା ଦିଗରେ ଆତ୍ମସମର୍ପଣକାରୀ ନକ୍ସଲ

ମାଲକାନଗିରି,: ବନ୍ଧୁକ ଛାଡ଼ିବା ପରେ କଲମ ଧରିଲେ। ଏବେ ସ୍ନାତକ ପାସ କରିବା ଲକ୍ଷ୍ୟରେ ରହିଛନ୍ତି ମାଲକାନଗିରି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ଶତାଧିକ ନକ୍ସଲ। ଏଥିପାଇଁ ଆଜି ଇଗ୍ନୋ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନ୍ତିମ ପ୍ରବେଶିକା ପରୀକ୍ଷା ଦେଇଛନ୍ତି। ବିପିପି(ବେଚୁଲାର ପ୍ରିପେରେଟିଂ ପ୍ରୋଗ୍ରାମ) ଜରିଆରେ ୧୦୩ଜଣ ପରୀକ୍ଷା ଦେଇଛନ୍ତି। ଏହି ପରୀକ୍ଷାରେ ପାସ୍‌ ହେବାପରେ ସେମାନେ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇବେ ବୋଲି ସୂଚନା ମିଳିଛି।
ମାଲକାନଗିରି କେନ୍ଦ୍ରୀୟ ବିଦ୍ୟାଳୟରେ ଆଜି ହୋଇଥିବା ଏହି ପରୀକ୍ଷା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସେହିପରି ପରୀକ୍ଷା ନିମନ୍ତେ ୬ମାସ ହେଲା ଆତ୍ମସମର୍ପଣ କରିଥିବା ନକ୍ସଲ ପ୍ରସ୍ତୁତି କରିଥିଲେ। ଇଗ୍ନୋ ଆଂଚଳିକ ନିର୍ଦେଶକ ଡ.ବି.ରାଜଗୋପାଲ ନିଜେ ଉପସ୍ଥିତ ରହି ପରୀକ୍ଷାକୁ ତଦାରଖ କରିଥିଲେ। ନିର୍ଦେଶକ ରାଜଗୋପାଲ ସମସ୍ତ ଆତ୍ମସମର୍ପଣ ନକ୍ସଲଙ୍କୁ ହତାଶ ନହେବା ପାଇଁ ପରାମର୍ଶ ଦେଇଥିଲେ। ଯଦି ଏହି ପରୀକ୍ଷାରେ କୌଣସି ପ୍ରକାରେ ଫେଲ ହୋଇଯାନ୍ତି ତେବେ ଆଗାମୀ ଡିସେମ୍ବରରେ ପୁଣି ପରୀକ୍ଷା ଦେଇପାରିବେ ବୋଲି କହିଥିଲେ। ନିଜର ବିତିଯାଇଥିବା ଜୀବନକୁ ଭୁଲିଯାଇ ଭବିଷ୍ୟତରେ ଜଣେ ଭଲ ମଣିଷ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବାକୁ କହିଥିଲେ।
ପ୍ରକାଶଥାଉକି ଏହି ଆତ୍ମସମର୍ପଣକାରୀ ନକ୍ସଲଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପରେ ପୁଲିସ ପକ୍ଷରୁ ଆତ୍ମନିର୍ଭରଶୀଳ କରିବାକୁ ପଦକ୍ଷେପ ନିଆଯାଇଥିଲା। ଏସପି ଜଗମୋହନ ମୀନା ସମସ୍ତଙ୍କୁ ଶିକ୍ଷିତ କରିବାକୁ ନୂଆ ପ୍ରୟାସ ଆରମ୍ଭ କରି ଇଗ୍ନୋ ସହ ଯୋଗାଯୋଗ କରିଥିଲେ। ଏନେଇ ଏସପିଙ୍କ କହିବା ହେଲା ଆଗାମୀ ପିଢ଼ି ଓ ଜଙ୍ଗଲରେ ଘୂରି ବୁଲୁଥିବା ନକ୍ସଲଙ୍କ ପାଇଁ ଏମାନେ ସମସ୍ତେ ଉଦାହରଣ ହେବେ। ଏହି ପରୀକ୍ଷାରେ ପାସ ହେବା ପରେ ଇଗ୍ନୋରେ ସ୍ନାତକ କରିବା ବ୍ୟବସ୍ଥା କରାଯିବ। ଏହାପରେ ବି ଯଦି କେହି ଉଚ୍ଚ ଶିକ୍ଷା ହାସଲ କରିବାକୁ ଚାହିଁବେ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ।
ପୂର୍ବତନ ନକ୍ସଲ କମାଣ୍ଡର ସୁକଦେବଙ୍କ କହିବା ଅନୁଯାୟୀ ପୋଲିସର ଏହି ଅଭିନବ ପ୍ରୟାସ ଆମେ କେବେ ଭୁଲିବୁ ନାହିଁ। ଆମେ ଆଜି ଏସପି ଶ୍ରୀ ମୀନାଙ୍କ ସହଯୋଗ ଏବଂ ପ୍ରଚେଷ୍ଟା ଯୋଗୁଁ ଉଚ୍ଚ ଶିକ୍ଷା ଲାଭ କରିପାରିଛୁ। ଜଂଗଲରେ ରହି କେବଳ ମୁର୍ଖ ଭଳି ବ୍ୟବହାର କରୁଥିଲୁ। ସମାଜରେ କିପରି ଚଳିବା ଏବଂ ଲୋକଙ୍କୁ କିପରି ବ୍ୟବହାର ଦେଖାଇବା ଏସବୁ ଜାଣିନଥିଲୁ। ଇଗ୍ନୋ ପରିଚାଳକ ତଥା ଅଧ୍ୟାପକ ଉମେଶ ରାଉତ ନିଜ ପ୍ରଚେଷ୍ଟାରେ ସମସ୍ତ ଆତ୍ମସମର୍ପଣକାରୀ ନକ୍ସଲଙ୍କୁ ଶିକ୍ଷା ଦେବାରେ କୌଣସି ସୁଯୋଗ ହାତଛଡା କରିନାହାନ୍ତି। ସମସ୍ତଙ୍କୁ ଉଚ୍ଚ ଶିକ୍ଷା ପାଇଁ ତାଲିମ ଦେବା ସହ କିପରି ଜଣେ ଭଲ ମଣିଷ ହୋଇପାରିବେ ସନେଇ ମଧ୍ୟ ତାଲିମ ଦିଆଯାଇଛି। ଏଥିରେ ମହିଳା ଏବଂ ପୁରୁଷ ଉଭୟ ନକ୍ସଲ ରହିଛନ୍ତି। ଆତ୍ମସମର୍ପଣକରି ମୁଖ୍ୟସ୍ରୋତରେ ସାମିଲ ହୋଇ ଲୋକଙ୍କ ସହ ଜଡିତ ହେବା ପରେ ଆମକୁ ଭଲ ଲାଗୁଥିବା ଏମାନେ କହିଥିଲେ।

ସମ୍ବନ୍ଧିତ ଖବର