ମାଲକାନଗିରି: କୁକୁଡ଼ା ବୋଝେଇ ଟ୍ରକ୍‌ ଧକ୍କାରେ ପୁଅ ସମେତ ଜୀବନ ହାରିଲେ ଦମ୍ପତ୍ତି

ମାଲକାନଗିରି: କୁକୁଡା ବୋଝେଇ ଟ୍ରକ୍‌ ସହିତ ଧକ୍କା ହେବାରୁ ଗୁରୁବାର ପୁଅ ସମେତ ସ୍ୱାମୀ-ସ୍ତ୍ରୀ ଜୀବନ ହାରିଛନ୍ତି। ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲାରେ ଜାତୀୟ ରାଜପଥ ନମ୍ବର ୩୨୬ରେ ପୁଲିମେଟଲା ଠାରେ ଏହି ଦୁର୍ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁସାରେ ଏମ୍‌ଭି ୨୩ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୁକୁଡା ବୋଝେଇ ଟ୍ରକ ସହିତ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣାସ୍ଥଲରେ ହିଁ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମାନ୍ୟମ ପଣ୍ଡା ଗାଁର ଗୋଟିଏ ଦମ୍ପତ୍ତି ନିଜ ପୁଅକୁ ନେଇ ମାଲକାନଗିରି ଯାଇଥିଲେ। ସେମାନେ କାମ ସାରି ଆଜି ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି।

ପୁଲିସ ସୂଚନା ପାଇ ଦୁର୍ଘଟଣାସ୍ଥଳକୁ ପହଞ୍ଚି କୁକୁଡା ବୋଝେଇ ଟ୍ରକକୁ ଜବତ କରିଥିବା ବେଳେ ଏହାର ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି। ବାଇକର ଉପରକୁ ଟ୍ରକ ଚଢ଼ିଯିବାରୁ ୩ଜଣଙ୍କ ଜୀବନ ନିମିଷକ ମଧ୍ୟରେ ଚାଲି ଯାଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ଦତନ୍ତ କରୁଛି।

ସମ୍ବନ୍ଧିତ ଖବର