ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ୮୦ପ୍ରତିଶତ ଆଦିବାସୀ ସଂପ୍ରଦାୟର ଲୋକେ ବସବାସ କରୁଛନ୍ତି। ଡିଡାଇ, ବଣ୍ଡା, କୋୟା ଭଳି ଆଦିମ ଜନଜାତିର ଲୋକେ ପାରଂପାରିକ ଜୀବନଶୈଳୀରେ ଜୀବନ ଯାପନ କରୁଛନ୍ତି। ଜଂଗଲରୁ ଯାହା ମିଳେ ତାକୁ ନିଜେ ଖାଇବା ସହ ବଜାରରେ ବିକ୍ରି କରି ବେଶ ଦି ପଇସା ପାଇଥାନ୍ତି। ଯାହାକି ସେମାନଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିଥାଏ। ଏଥିମଧ୍ୟରୁ ଫୁଲଝାଡୁ ଅନ୍ୟତମ। ଜଂଗଲ ନିକଟରେ ରହୁଥିବା ଆଦିବାସୀ ଜଂଗଲରେ ଉଠିଥିବା ଏକ ଘାସ ଜାତୀୟ ଗଛ ଘରକୁ ଆଣି ତାକୁ ସଫାକରି ଝାଡୁ ରୂପେ ନିଜେ ବ୍ୟବହାର କରୁଥିଲେ। ଏହି ଘାସ ଗଛ ଲମ୍ବା ଲମ୍ବା ହୋଇଥାଏ। ଯେତେବେଳେ ଗଛ ଗୁଡିକ ପାକଳ ହୋଇଥାଏ ,ସେତେବେଳେ ଏହାକୁ କାଟିଆଣି ଝାଡୁ ତିଆରି କରାଯାଇଥାଏ। ତେବେ ନିଜେ ଏହାକୁ ବ୍ୟବହାର କରିବା ପରେ ବଳକ ଝାଡୁକୁ ହାଟ ବଜାରରେ ବିକ୍ରି ପାଇଁ ଆଣିଥାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏବେ ଗୋଟିଏ ଗୋଟିଏ ଝାଡୁ ପିଛା ୩୦ ଟଂକା ରହିଥିବା ବେଳେ ଏମାନଙ୍କ ଠାରୁ ଦଲାଲମାନେ କିଣି ଗୋଟିଏ ପିଛା ୫୦ ଟଂକାରୁ ୬୦ ଟଂକା ପର୍ଯ୍ୟନ୍ତ ଦାବି କରୁଛନ୍ତି। ତେବେ ସଚେତନ ଆଦିବାସୀ ହାଟ ବଜାରରେ ଯାହା ବିକ୍ରି ନହୋଇ ରହିଯାଇଥାଏ ତାକୁ ସହରକୁ ଆଣି ବିକ୍ରି କରିଛନ୍ତି। ଯଦ୍ୱାରା ସେମାନ ଦି ପଇସା ଅଧିକା ପାଇଥାନ୍ତି ବୋଲି କମଳା ଶିଶା ପ୍ରକାଶ କରିଛନ୍ତି।
ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକରେ ବିଶେଷକରି ବଣ୍ଡା ରମଣୀମାନେ ଜଂଗଲରୁ ଫୁଲଝାଡୁ ଆଣି ବିକ୍ରି କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥାଏ। କେବଳ ମାଲକାନଗିରି ନୁହେଁ ବରଂ ଜିଲ୍ଲା ବାହାରେ ମଧ୍ୟ ଏହାକୁ ରପ୍ତାନି କରାଯାଇଥାଏ। ସେହିପରି ଏବେ ଓରମାସ ତରଫରୁ ବଣ୍ଡାଘାଟିରେ ସ୍ୱୟଂ ସହାୟକ ଗୋଷ୍ଠୀ ତିଆରି କରି କିପରି ଫୁଲଝାଡୁ ବଜାରରେ ଚଢା ଦରରେ ବିକ୍ରି କରିପାରିବେ ସେନେଇ ତାଲିମ ପ୍ରଦାନ କରାଯାଉଛି। ଏହି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏହା ଦ୍ୱାରା ବେଶ ଲଭପ୍ରଦ ହୋଇଥିବା ଦେଖିବାକୁ ମିଧ୍ୟ ମିଳିଛି।
କିନ୍ତୁ ବଜାରକୁ ପ୍ଲାଷ୍ଟିକ ଝାଡୁ ଆସିବା ଦ୍ୱାରା ଏହି ଜଂଗଲି ଝାଡୁର ଚାହିଦା ଦିନକୁ ଦିନ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। କମ୍ ଦାମରେ ଭଲ ପ୍ଲାଷ୍ଟିକ ଝାଡୁ ମିଳୁଥିବା ବେଳେ ଏହା ବେଶୀ ଦିନ କାମ କରୁଛି। ଫୁଲଝାଡୁ ଅଳ୍ପ ଦିନରେ ଖରାପ ହେବା ସହ ଆଗଭଳି ଆଉ ଝାଡୁର ଦମ୍ ନଥିବା ସ୍ଥାନୀୟ ଲୋକେ କହୁଛନ୍ତି। ତେବେ ଯାହା ହେଉ ଆଦିବାସୀମାନେ କିନ୍ତୁ କାହିଁ କେଉଁ କାଳରୁ ଏହି ଜଂଗଲି ଘାସକୁ ଝାଡୁ କରି ବ୍ୟବହାର କରିବା ସହ ବେପାର କରିବା ଶିଖିଲେଣି। ଯାହା ଦ୍ୱାରା ସେମାନେ ନିଜର ପରିବାର ପ୍ରତିପୋଷଣ କରିବାରେ ସହାୟକ ହେଉଛନ୍ତି।