ଚଢ଼ିଗଲା ଟ୍ରକ, ୨ମୃତ

ଗୋବିନ୍ଦପାଲ୍ଲୀ/ଖଇରପୁଟ: ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ବନ ବିଭାଗ ତନଖି ଫାଟକ ନିକଟରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଚିପ୍‌ସ ବୋଝେଇ ଟ୍ରକ ଚାପାରେ ଦୁଇ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ହେଲେ ଜୟପୁର ଇନିଗେସନ କଲୋନି ଅଞ୍ଚଳର ମେକାନିକ୍‌ ଅନନ୍ତ ନାରାୟଣ ସେଠୀ (୩୫) ଏବଂ ପାରାବେଡା ଖାଲ ସାହିର ବ୍ୟବସାୟୀ ସୁବ୍ରତ ନାୟକ (୪୪)ବୋଲି ଜଣାପଡିଛି। ଖବର ପାଇ ଗୋବିନ୍ଦପାଲ୍ଲୀ ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।
ସୂଚନା ଅନୁଯାୟୀ, ଜୟପୁରର ନାରାୟଣ ଓ ସୁବ୍ରତ କୌଣସି କାମରେ ହୋଣ୍ଡା ହର୍ନେଟ ବାଇକ (ଓଡି ୧୦ଏଚ ୩୫୬୭) ଯୋଗେ ମାଲକାନଗିରି ଅଭିମୁଖେ ବାହାରିଥିଲେ। ଅପରାହ୍ନ ପ୍ରାୟ ୩ଟାରେ ଗୋବିନ୍ଦପାଲ୍ଲୀ ସ୍ଥିତ ବନ ବିଭାଗର ତନଖି ଫାଟକ ନିକଟରେ ଟାପାଯୋଡି କ୍ରସରରୁ ଚିପ୍‌ସ ନେଇ ଯାଉଥିବା ଟ୍ରକ (ଓଆର ୦୪ ୬୬୬୭) ଦୁହିଁଙ୍କୁ ଧକ୍କା ଦେଇଥିଲା। ଅନନ୍ତଙ୍କ ମୁଣ୍ଡ ଓ ସୁବ୍ରତଙ୍କ ଅଣ୍ଟା ଉପରେ ଟ୍ରକର ପଛ ଚକ ଚଢ଼ି ଯିବାରୁ ଘଟଣା ସ୍ଥଳରେ ହିଁ ଦୁହିଁଙ୍କର ମୃତ୍ୟୁ ହୋଇଯାଇଥିଲା। ଘଟଣା ପରେ ଟ୍ରକ ଚାଳକ ଗୋବିନ୍ଦପାଲ୍ଲୀ ଫାଣ୍ଡିରେ ପହଞ୍ଚି ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।

ଗୋବିନ୍ଦପାଲ୍ଲୀ ଫାଣ୍ଡି ଅଧିକାରୀ ପ୍ରଭାତ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ଶବ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଘଟଣା ସ୍ଥଳରୁ ଦୁର୍ଘଟଣା ଗ୍ରସ୍ତ ବାଇକ ଏବଂ ମୃତକଙ୍କ ନିକଟରୁ ୪ଟି ମୋବାଇଲ ପୁଲିସ ଜବତ କରିଥିଲା। ଦୁର୍ଘଟଣା ଜନତି ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଅପରପକ୍ଷରେ ସ୍ଥାନୀୟ ଲୋକେ ଏହି ଦୁର୍ଘଟଣା ପାଇଁ ବନ ବିଭାଗକୁ ଦାୟୀ କରିଛନ୍ତି। ଗୋବିନ୍ଦପାଲ୍ଲୀ ପ୍ରବେଶ ପଥରେ ଦୁଇଟି ବଡ ବଡ ନାମ ଫଳକ ବୋର୍ଡ ଲଗା ଯାଇଛି। ଏଥିପାଇଁ ନିୟମିତ ଭାବେ ସେହି ସ୍ଥାନରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି। ଆଜିର ଦୁର୍ଘଟଣା ମଧ୍ୟ ଏହି ବୋର୍ଡ ଯୋଗୁଁ ହୋଇଥିବା ଅଭିଯୋଗ ହୋଇଛି। ତେଣୁ ତୁରନ୍ତ ଏହି ବୋର୍ଡକୁ ରାସ୍ତା ଉପରୁ ହଟାଇବା ସହ ସୂଚନା ଫଳକ ଲଗାଇବା ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର