୨ ଦୁର୍ଦାନ୍ତ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲାରେ ୨ ଦୁର୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ପାନିଡୋବରୀ ଏଲଓସି ତଥା ସିଏନଏମ ସଦସ୍ୟା ମାନକୋ ଦୁଗ୍ଗା ଅରଫ ଦେବକୀ ଏବଂ ସୀତାପୁର ଏଲଜିଏସ କମାଣ୍ଡର ଲଛୁ ମାରକାମ ଅରଫ କମଲେଶ। କାଂକେର ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବସ୍ତର ରେଂଜ ପୁଲିସ ମହାନିର୍ଦେଶକ ବିବେକାନନ୍ଦ ସିହ୍ନା, ଏସପି କେ.ଏଲ ଧ୍ରୁବଙ୍କ ନିକଟରେ ଦୁହେଁ ଆତ୍ମସମର୍ପଣ କରିଛନ୍ତି। ସରକାର ପୂର୍ବରୁ ଦେବକୀ ନାମରେ ୧ ଲକ୍ଷ ଟଂକା ଏବଂ ଲଛୁ ନାମରେ ୫ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ଗତ ୨୦୦୯ ମସିହାରେ ଦେବକୀ ନକ୍ସଲ ସଂଗଠନରେ ଯୋଗ ଦେଇଥିଲେ। ପାନିଡୋବରି ଏଲଓସିରେ ୨୦୧୩ ପର୍ଯ୍ୟନ୍ତ କାମ କରିଥିଲା।

ସେହି ବର୍ଷ ହିଁ କମାଣ୍ଡର ମୀନା ନେତମ ଦେବକୀକୁ ଏସିଏମ ଭାବେ ନିଯୁକ୍ତି ଦେଇଥିଲା। ୨୦୧୪ ଓ ୨୦୧୫ରେ ଦେବକୀ ବହୁ ନକ୍ସଲ ହିଂସାରେ ଜଡିତ ଥିବା ପୁଲିସ କହିଛି। ଭୋଟବାକ୍ସ ଲୁଟ କରିବା, ପ୍ରଜାକୋର୍ଟରେ ଗ୍ରାମବାସୀଙ୍କୁ ମାଡ ମାରିବା, ଯାନବାହାନରେ ନିଆଁ ଲଗାଇ ପୋଡି ଦେବା ଭଳି ସଂଗୀନ ଅଭିଯୋଗ ରହିଛି। ୨୦୧୬ରୁ ଆତ୍ମସମର୍ପଣ ପର୍ଯ୍ୟନ୍ତ ପାନିଡୋବରୀ ଅଂଚଳରେ ବହୁ ଗ୍ରାମବାସୀଙ୍କୁ ମାଡମାରିବା ତଥା ହତ୍ୟା କରିବା ଘଟଣାରେ ସାମିଲ ଥିବା ମଧ୍ୟ ପୁଲିସ କହିଛି। ସେହିପରି ଲଚ୍ଛୁ ୧୯୯୯ ମସିହାରେ ମାଓ ସଂଗଠନରେ ଜଡିତ ହୋଇଥିଲା। ୨୦୦୪ ପର୍ଯ୍ୟନ୍ତ ସଦସ୍ୟ ରୂପେ କାମ କରି ୨୦୦୯ ମସିହାରେ କମାଣ୍ଡର ଭାବେ ପଦୋନ୍ନତି ପାଇଥିଲା। ଏହାପରେ ସୀତାପୁର ଅଂଚଳରୁ ବଦଳି ହୋଇ ଏଲଜିଏସ କମାଣ୍ଡର ରୂପେ କାମ କରୁଥିଲା।

୧୫ରୁ ଊର୍ଦ୍ଧ୍ୱ ମାମଲାରେ ଲଛୁ ଜଡିତ ଥିବା ପୁଲିସ କହିଛି। ପୁଲିସ କର୍ମଚାରୀଙ୍କୁ ହତ୍ୟା କରିବା, ଗ୍ରାମବାସୀଙ୍କୁ ହତ୍ୟା କରିବା, ଲୁଟପାଟ, ଲ୍ୟାଣ୍ଡମାଇନ ଖଞ୍ଜିବା, ପୁଲିସ ଉପରେ ଆକ୍ରମଣ କରିବା ଭଳି ବହୁ ସଂଗୀନ ମାମଲାରେ ସେ ଜଡିତ ଥିବା ପୋଲିସ କହିଛି। ତେବେ ସଂଗଠନରେ ପୂର୍ବ ଭଳି ଆଦର୍ଶ ଓ ଲକ୍ଷ୍ୟ ନେଇ କାମ କରାଯାଉନଥିବା ବେଳେ ନିର୍ଯାତନା ବଢିଯାଇଥିବା ଏମାନେ କହିଛନ୍ତି। ଆନ୍ଧ୍ର ନକ୍ସଲଙ୍କ ରାଜୁତି ଦିନକୁ ଦିନ ବଢୁଥିବାରୁ ସଂଗଠନ ଛାଡ଼ିଥିବା ପ୍ରକାଶ କରିଛନ୍ତି। ଆତ୍ମସପର୍ମଣ ପରେ ପୁଲିସ ପକ୍ଷରୁ ଏମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଆଗକୁ ସରକାରଙ୍କ ତରଫରୁ ଦିଆଯାଉଥିବା ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯିବା ସହ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର