ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଦୋରାଗୁଡା ପଞ୍ଚାୟତ ଅନ୍ତର୍ଗତ ଦାତୁନଗୁଡା ସ୍ଥିତ ପଥର କୁଆଁରି ଯୋଗୁଁ ଲୋକେ ନାହିଁ ନଥିବା ହଇରାଣ ହେଉଥିବା ଅଭିଯୋଗ ହୋଇଛି। ତେଣୁ ତୁରନ୍ତ ବନ୍ଦ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି। ନଚେତ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ନିକଟସ୍ଥ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ବିଚ୍ଛିନ୍ନାଞ୍ଚଳକୁ ଯୋଡୁଥିବା ଜନବାଇ ରାସ୍ତା ନିର୍ମାଣ ନିମନ୍ତେ ଦୋରାଗୁଡା ପଞ୍ଚାୟତର ଦାତୁନଗୁଡା ନିକଟରେ ଏହି ପଥର କୁଆଁରି ସ୍ଥାପନ କରାଯାଇଥିଲା। ସ୍ଥାପନ ସମୟରେ ଦାତୁନଗୁଡା, କମାରଗୁଡା, ଆରଏସସି-୨ ଇତ୍ୟାଦି ଗ୍ରାମରେ ସରକାର ଜନଶୁଣାଣି କରିଥିଲେ। ସେତେବେଳେ କୁହାଯାଇଥିଲା ଯେ କ୍ରସର ହେଲେ ସ୍ଥାନୀୟ ଲୋକଙ୍କୁ ରୋଜଗାର ମିଳିବ। ହେଲେ ସ୍ଥାପନ ପରେ ରୋଜଗାର ଦୂରର କଥା ଲୋକଙ୍କ ସମସ୍ୟା ବଢିଯାଇଛି। ପଥର କୁଆଁରିରେ ବିସ୍ଫୋରଣ ଯୋଗୁଁ ନିକଟସ୍ଥ ଗ୍ରାମର ଘର ଗୁଡିକ ଭାଙ୍ଗିଲାଣି। କାନ୍ଥରେ ଫାଟ ସୃଷ୍ଟି ହେବା ସହ ଆଜବେଷ୍ଟ ଗୁଡିକ ଦୁଇଫାଳ ହୋଇଗଲାଣି। ନିକଟସ୍ଥ ଜମିରେ ପଥରଗୁଣ୍ଡ ପଡି ପୂର୍ବ ଭଳି ଉତ୍ପାଦନ ହେଉନାହିଁ। ଏତିକିରେ ସମସ୍ୟା ସରିନାହିଁ, ନିକଟସ୍ଥ ସିଲେରୁ ଓ ଗୁଣ୍ଠାଗୁଡା ଜଳଭଣ୍ଡାରରେ ପଥରଗୁଣ୍ଡ ମିଶି ପାଣି ଖରାପ ହୋଇଛି। ଏହି ପାଣିକୁ ବ୍ୟବହାର କଲେ ଚର୍ମ ରୋଗ ଏବଂ ପେଟ ରୋଗ ହେଉଥିବା ଲୋକ କହିଛନ୍ତି। ଦାତୁନଗୁଡା ଗ୍ରାମର ଭଦ୍ର ନାୟକ, ଦେବ ନାୟକ, ମଂଗଳୁ ନାୟକ, ବୁଦୁ ଖେମୁଡୁ, ପତି ଖେମୁଡୁ, ପଣ୍ଡା ପୂଜାରୀ, ଲକ୍ଷ୍ମୀ ପୂଜାରୀ, ଫୁଲମଣି ପୂଜାରୀ, ସମା ହନ୍ତାଳ, ରାମ ପୂଜାରୀ, କମାରଗୁଡାର ଡମୁ ଡଙ୍ଗାୟତ, କମୁ ଡଙ୍ଗାୟତ, ଭଗବାନ ପୂଜାରୀ, କୁଠାଗୁଡାର ମଙ୍ଗୁ ଖେମୁଣ୍ଡୁ, ମାଳତୀ ହନ୍ତାଳ, ଦମୟନ୍ତୀ ଖରା ପ୍ରମୁଖ ପଥର କୁଆଁରି ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ଆରଏସି-୨ ଗ୍ରାମର ମୁକୁନ୍ଦ ଖେମୁଣ୍ଡୁ, ଦଇତାରୀ ଶିଶା, ଦେବ ହନ୍ତାଳ, ଅନନ୍ତ ଖେମୁଣ୍ଡୁ, ରାମ ହନ୍ତାଳ, ଗୋପୀ ବାଚେମ, ଲୋକନାଥ ଖେମୁଣ୍ଡୁ, ରାମଚନ୍ଦ୍ର ଖେମୁଣ୍ଡୁ, ଘାସି ହନ୍ତାଳ, ଦଳପତି ଖିଲ, ଡମୁଣୀ ଖିଲ, ଲକ୍ଷ୍ମୀଧର ହନ୍ତାଳ, ଧନ ଖେମୁଣ୍ଡୁ ପ୍ରମୁଖଙ୍କ ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିଲେ। ତେବେ ବରିଷ୍ଠ କଂଗ୍ରେସ ନେତା ଶରତ ଚନ୍ଦ୍ର ବୁରୁଦା ଘଟଣା ସ୍ଥଳରେ ପହଞ୍ଚି ସତ୍ୟାସତ୍ୟ ଜାଣିବା ପରେ ଶତାଧିକ ଲୋକଙ୍କୁ ନେଇ ଚିତ୍ରକୋଣ୍ଡା ତହସିଲ କାର୍ଯ୍ୟାଳୟରେ ପହଞ୍ଚି ଦରଖାସ୍ତ ପ୍ରଦାନ କରିଛନ୍ତି। ଯଦି ଆସନ୍ତା ୮ଦିନ ମଧ୍ୟରେ କୌଣସି ପଦକ୍ଷେପ ଗ୍ରହଣ କରାନଯାଏ ତାହାହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଆସନ୍ତାକାଲି ପୁଣି ଜିଲ୍ଲାପାଳଙ୍କୁ ଭେଟିବେ ବୋଲି ୫ଖଣ୍ଡ ଗ୍ରାମର ଗ୍ରାମବାସୀ କହିଛନ୍ତି।