ମାଲକାନଗିରି: ଗୁରୁପ୍ରିୟା ସେତୁ ଉଦ୍‌ଘାଟନ ହେବା ପରେ ଜାଗ୍ରତ ହେଲେ ମହିଳା ମାଓବାଦୀ, ଏସ୍‌ପିଙ୍କ ନିକଟରେ କଲେ ଆତ୍ମସମର୍ପଣ

ମାଲକାଗିରି: ଗୁମ୍ମା ଏରିଆ କମିଟି ସଦସ୍ୟ ମହିଳା ମାଓବାଦୀ ନୟନା ଖିଲୋ(୧୯) ଗୁରୁବାର ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସନ୍ୟାସୀଗୁଡ଼ା ଗାଁର ଚାଷୀ ଦେବ ଖିଲୋ ଓ ଗୃହିଣୀ ସନେଇ ଖିଲୋଙ୍କ ଝିଅ ନୟନା ସରକାରଙ୍କ ଯୋଜନାରେ ଅନୁପ୍ରାଣିତ ହୋଇ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛି। ସେ ବିଭିନ୍ନ ମାଓବାଦୀ କାଣ୍ଡ ସହିତ ନିଜକୁ ସାମିଲ କରିଥିଲା।

ଆନ୍ଧ୍ର ଓଡ଼ିଶା ସୀମା ସ୍ୱତନ୍ତ୍ର ଜୋନାଲ କମିଟି ଅଧିନରେ ମାଲକାନଗିରି ଡିଭିଜନ ଗୁମ୍ମା ଏରିଆ କମିଟିର ସଦସ୍ୟ ଥିଲା। ସେ ୨୦୧୬ରେ ମାଓବାଦୀ ସଂଗଠନରେ ଯୋଗ ଦେଇଥିଲା। ତାକୁ ଧରିବା ପାଇଁ ଓଡ଼ିଶା ସରକାର ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ।

ବିଚ୍ଛିନ୍ନାଞ୍ଚଳ ସହିତ ଯୋଡ଼ିବା ପାଇଁ ନିକଟରେ ଉଦ୍‌ଘାଟନ ହୋଇଥିବା ଗୁରୁପ୍ରିୟା ସେତୁକୁ କ୍ଷତିକରିବାକୁ ମାଓବାଦୀମାନେ ଟାର୍ଗେଟ କରିଥିବା ବେଳେ, ମାଓବାଦୀ ସଂଗଠନରୁ ନିବୃତ୍ତ ରହିବା ପାଇଁ ନୟନା ସେଠାରୁ ମୁକୁଳିବାକୁ ଉଦ୍ୟମ କରିଥିଲା। ନୟନା ଅନୁଭବ କରିପାରିଥିଲା ଯେ, ଗୁରୁପ୍ରିୟା ସେତୁ ପ୍ରତିଷ୍ଠା ହେବା ଦ୍ୱାରା ସ୍ଥାନୀୟ ଅଞ୍ଚଳର ବିକାଶ ହେବ।

ରାଜ୍ୟ ସରକାରଙ୍କ ଥଇଥାନ ଯୋଜନା ଅନୁସାରେ ନୟନାଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯିବ। ଗୃହ ନିର୍ମାଣ ପାଇଁ ନୟନାକୁ ଆର୍ଥିକ ସହଯୋଗ ଦିଆଯିବା ସହିତ ପଢ଼ିବା ପାଇଁ ସୁବିଧା ଦିଆଯିବ ବୋଲି ବରିଷ୍ଠ ପୁଲିସ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର