ବାଲେଶ୍ୱର: ବସ ଚୋରି କରି ପଳାଉଥିଲେ, ଟୋଲ୍ ପ୍ଲାଜାରେ ଧରାପଡ଼ିଲେ ଯୁବକ

ବାଲେଶ୍ୱର: ବାଲେଶ୍ୱର ବସଷ୍ଟାଣ୍ଡରେ ରଖାଯାଇଥିବା ଏକ ଯାତ୍ରୀବାହୀ ବସକୁ ଚୋରି କରି ନେଇ ପଳାଉଥିବା ଜଣେ ଯୁବକଙ୍କୁ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ପୁଲିସ ଅଟକ ରଖିବା ସହିତ ତାଙ୍କ ଠାରୁ ଚୋରି ବସ୍‌ଟିକୁ ଜବତ କରିଛନ୍ତି। ତେବେ ଅଟକ ଥିବା ଯୁବକ ଜଣକ କୌଣସି କଥା କହୁ ନ ଥିବାରୁ ସେ ଦିବ୍ୟାଙ୍ଗ ହୋଇ ଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତକାଲି ରାତିରେ ବାଲେଶ୍ୱର ବସଷ୍ଟାଣ୍ଡରେ  ଓଡ଼ି ୦୧ ଏସ ୯୬୯୧ ନମ୍ବର ବିଶିଷ୍ଟ ‘ଝାଡେଶ୍ୱର’ ନାମକ ଘରୋଇ ବସଟି ରଖାଯାଇଥିଲା। ବିଳମ୍ବିତ ରାତିରେ ନକଲି ଚାବିରେ ବସର ଖୋଲି ଜଣେ ଯୁବକ ଏହାକୁ ନେଇ ସୋର ଆଡକୁ ପଳାଇ ଯାଉଥିଲେ। ତେବେ ଖନ୍ତାପଡ଼ା ନିକଟରେ ଥିବା ଟୋଲ ପ୍ଲାଜାରେ ଫି ଦେଇ ନ ପାରିବାରୁ ଓ ବସ୍‌ରେ କୌଣସି ଯାତ୍ରୀ ନ ଥିବାରୁ ସନ୍ଦେହରେ ଟୋଲ ପ୍ଲାଜା କର୍ମଚାରୀମାନେ ଖନ୍ତାପଡ଼ା ଥାନାକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ଅନୁସନ୍ଧାନ କରିବାରୁ ଯୁବକ ଜଣକ ବସଟିକୁ ଚୋରି କରି ନେଇ ପଳାଇ ଯାଉଥିବା ଜଣାପଡ଼ିିଥିଲା। ତେଣୁ ଥାନାକୁ ଆଣି ପଚରାଉଚରା କରିବାରୁ ଯୁବକ ଜଣକ ନିଜ ନାମ ଗୌରାଙ୍ଗ ସାହୁ(୨୦ବର୍ଷ) ଓ ଘର ଜଗତସିଂହପୁର ଜିଲ୍ଲା ମୁଳିସାଙ୍ଗ ଗ୍ରାମରେ ବୋଲି ସୂଚନା ଦେଇଥିଲା। ତେବେ ଗୌରାଙ୍ଗ ପାଟିରେ କିଛି କହୁ ନ ଥିବାରୁ ସେ ଜଣେ ଦିବ୍ୟାଙ୍ଗ ହୋଇପାରନ୍ତି ବୋଲିି ପୁଲିସ ଅନୁମାନ କରୁଛି। ଅପରପକ୍ଷେ ପୁଳିସ ପଚରାଉଚରାରୁ ବର୍ତ୍ତିବା ପାଇଁ ସେ କଥା କହି ପାରୁ ନ ଥିବାର ନାଟକ କରୁଥିିବା ମଧ୍ୟ ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର