ପର ସ୍ତ୍ରୀକୁ ଦୁଷ୍କର୍ମ ଉଦ୍ୟମ କରି ନିସ୍ତୁକ ଛେଚା ଖାଇଲା ଯୁବକ, ଗିରଫ କଲା ପୁଲିସ

ଡାବୁଗାଁ: ପର ସ୍ତ୍ରୀକୁ ଦୁଷ୍କର୍ମ ଉଦ୍ୟମ କରି ଗ୍ରାମବାସୀଙ୍କ ଠାରୁ ନିସ୍ତୁକ ଛେଚା ଖାଇଛି ଜଣେ ଯୁବକ। ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ନିସ୍ତୁକ ମାଡ଼ ଖାଇଥିବା ଯୁବକ ଅଞ୍ଚଳା ଗ୍ରାମର ଶିବ ଦାସ (୩୮)। ମାଡ଼ ମାରିବା ପରେ ଗ୍ରାମବାସୀ ଅଭିଯୁକ୍ତ ଯୁବକକୁ ପୁଲିସକୁ ହସ୍ତାନ୍ତର କରିଛନ୍ତି। ଏହା ପରେ ପୁଲିସ ସଂପୃକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

ସୂଚନା ଅନୁଯାୟୀ ଡାବୁଗାଁ ଥାନା ଅନ୍ତର୍ଗତ ସାନ ଓଲମା ଗ୍ରାମରେ ଜଣେ ବିବାହିତ ମହିଳା ନିଜ ସ୍ୱାମୀଙ୍କ ସହ ତାଙ୍କ ବାପା ଘରକୁ ଆସିଥିଲେ। ଗତ ୧୬ ତାରିଖ ଗୁରୁବାର ରାତ୍ର ସମୟରେ ମହିଳାଙ୍କ ସ୍ୱାମୀ ଜଣେ ବ୍ୟକ୍ତିଙ୍କ ଘରକୁ ଯାଇଥିଲେ। କିନ୍ତୁ ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫେରି ନ ଥିଲେ। ତେବେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ଡାକିବାକୁ ରାତି ପ୍ରାୟ ୮ଟାରେ ଖୋଜିବାକୁ ବାହାରିଥିଲେ। ଏହି ସମୟରେ ରାସ୍ତାରେ ଅଞ୍ଚଳା ଗ୍ରାମର ଶିବ ଦାସ (୩୮) ମହିଳାଙ୍କୁ ଅଟକାଇ କୁଆଡେ ଯାଉଛୁ କହି ତା ହାତକୁ ଟାଣି ନେଇଥିଲା ସେ ନିକଟ ଏକ ପାଳ ଗଦାକୁ ନେଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। ଏଥିରେ ଭୟଭୀତ ହୋଇ ମହିଳା ଜଣକ ଚିତ୍କାର କରିବାରୁ ଗ୍ରାମର ଲୋକେ କଣ ହେଲା ବୋଲି ପାଳ ଗଦା ନିକଟକୁ ଆସିଥିଲେ।

ଏହା ପରେ ଦୁଷ୍କର୍ମ ଉଦ୍ୟମ କରିଥିବା ଯୁବକ ଶିବକୁ ମହିଳାଙ୍କ ନିକଟରୁ ଛଡ଼ାଇ ତାକୁ ଉତ୍ତମ ମଧ୍ୟମ ଦେଇଥିଲେ। ଯୁବକକୁ ଗ୍ରାମବାସୀ ଅଟକ ରଖିଥିଲେ। ଏ ନେଇ ଗତକାଲି ଡାବୁଗାଁ ଥାନାରେ ଏତଲା ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଶିବ ଦାସକୁ ଗିରଫ କରିଛି। ଏସ୍‌ ଆଇ ପବିତ୍ର ମହନ ଖୋରା ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର