ପୁରୀ: ଶ୍ରଦ୍ଧାଳୁଙ୍କ ଠାରୁ ପକେଟ୍‌ ମାର କଲେ ସେବାୟତ, ଉପସ୍ଥିତ ଲୋକେ କାବୁ କରି ପୁଲିସକୁ କଲେ ହସ୍ତାନ୍ତର

ପୁରୀ: ଶ୍ରୀମନ୍ଦିର ସମ୍ମୁଖରେ ଗରୁଡ ସ୍ତମ୍ଭ ନିକଟରୁ ଜଣେ ଶ୍ରଦ୍ଧାଳୁଙ୍କ ଠାରୁ ପକେଟ ମାର କରି ଫେରାର ହେଉଥିବା ଜଣେ ସେବାୟତଙ୍କୁ ବୁଧବାର ସ୍ଥାନୀୟ ଜନତା କାବୁ କରିଛନ୍ତି। ଅଭିଯୁକ୍ତ ସେବାୟତ ଶ୍ୟାମସୁନ୍ଦର ପ୍ରତିହାରୀ (୫୬)କୁ ସାଧାରଣ ଜନତା ନିସ୍ତୁକ ମାଡ଼ ମାରିବା ପରେ ସିଂହଦ୍ୱାର ପୁଲିସକୁ ହସ୍ତାନ୍ତର କରିଛନ୍ତି।

ସୂଚନା ଅନୁସାରେ ଟାଉନ ଥାନା ଅନ୍ତର୍ଗତ ବାଲିସାହିର ତଲୁଛ ଲେନ୍‌ ନିବାସୀ ଶ୍ୟାମସୁନ୍ଦର ଆଜି ସକାଳ ୧୦ଟା ୪୦ରେ ଗରୁଡ ସ୍ତମ୍ଭ ନିକଟରେ ଥିଲେ। ସେହି ସ୍ଥାନରେ ନୟାଗଡ଼ା ଥାନା ଅନ୍ତର୍ଗତ ମହାବୀର ପାଟଣାର ଶୁଭ୍ରାଂଶୁ ଶେଖର ସାହୁ ମଧ୍ୟ ମନ୍ଦିରକୁ ପ୍ରବେଶ କରିବା ପାଇଁ ଛିଡା ହୋଇଥିଲେ। ସୁଯୋଗ ଦେଖି ଶ୍ୟାମସୁନ୍ଦର ପକେଟ ମାର କରିଥିଲେ।

ଲୋକଙ୍କ ଦ୍ୱାରା ହସ୍ତାନ୍ତର କରାଯିବା ପରେ ପୁଲିସ ମାମଲା ରୁଜୁ କରି ଶ୍ୟାମସୁନ୍ଦରକୁ କୋର୍ଟ ଚାଲାଣ କରିଛି। ଉଦ୍ଧାର ହୋଇଥିବା ପର୍ସରେ ଏଟିଏମ, ଆଧାରକାର୍ଡ ଓ ୭୦୦ ଟଙ୍କା ଥିଲା ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର