ଭଞ୍ଜନଗର: ଗୁଳି କରି ଠିକାଦାରଙ୍କୁ ହତ୍ୟା, ଉତ୍ତେଜନା

ଭଞ୍ଜନଗର: ଗତକାଲି ବିଳମ୍ବିତ ରାତିରେ ୩ ଜଣ ଯୁବକ ବାଇକରେ ଆସି ଯୋଗୀ ସ୍ୱାଇଁ ନାମକ ଜଣେ ଠିକାଦାରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତ ଯୋଗୀ ସ୍ୱାଇଁଙ୍କ ନାମରେ ମଧ୍ୟ ଥାନାରେ ଅପରାଧିକ ମାମଲା ଥିବାରୁ ଏହି ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା ମୁଖ୍ୟ କାରଣ ବୋଲି କୁହାଯାଉଛି।ଏହା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଅଞ୍ଚଳରେ ଗ୍ୟାଙ୍ଗ ଓ୍ଵାର ଆଶଙ୍କାରେ ଆତଙ୍କ ସୃଷ୍ଟି ହୋଇଛି।
ପୁଲିସ ସୁତ୍ରରୁ ପକାଶ ଯେ ଗଞ୍ଜାମ ଜିଲ୍ଲା ସେରଗଡ଼ ଥାନା ଅନ୍ତର୍ଗତ ଗୋଠଗାଁ ଗାଁର ଗତକାଲି ରାତିରେ ଗାଁ ସଭା ପରେ ପରେ ବାଇକ୍‌ରେ ଆସି ୩ ଜଣ ଦୁର୍ବୃତ୍ତ ଯୋଗୀ ସ୍ୱାଇଁଙ୍କୁ ଅତି ନିକଟରୁ ଗୁଳି କରି ଫେରାର ହୋଇ ଯାଇଥି। ରାତି ପ୍ରାୟ ୧ଟା ବେଳେ ଯୋଗୀଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବିଶାଖାପାଟଣା ନେବା ପାଇଁ ବ୍ୟବସ୍ଥା କରାଯାଉଥିଲା। ମାତ୍ର ବିଶାଖାପାଟଣା ଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଛି।
ପୁଲିସ ସୂଚନା ମୁତାବକ ଯୋଗୀଙ୍କର ଗାଁର ପୂର୍ବତନ ସରପଞ୍ଚ ଶିବରାମ ସେଠୀଙ୍କ ସହିତ ପର୍ବରୁ ଶତ୍ରୁତା ଥିଲା। ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଯୋଗୀ ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ୩ ଜଣ ଦୁର୍ବୃତ୍ତ ଆସି ଯୋଗୀଙ୍କୁ ଗୁଳିମାଡ଼ କରିଥିଲେ। ଦୁର୍ବୃତ୍ତଙ୍କ ୨ଟି ଗୁଳି ଯୋଗୀଙ୍କ ଛାତିରେ ବାଜିଥିଲା। ଗୁଳିମାଡ଼ରେ ଯୋଗୀ ପଡ଼ିଯିବା ପରେ ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିଲେ। ଏହି ଗୁଳିମାଡ଼ ଘଟଣାରେ ପୂର୍ବତନ ସରପଞ୍ଚଙ୍କ ହାତ ଥିବା ସନ୍ଦେହରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ପୂର୍ବତନ ସରପଞ୍ଚ ଶିବରାମ ସେଠୀଙ୍କୁ ଖୋଜୁଛି।

ସମ୍ବନ୍ଧିତ ଖବର