ରାୟଗଡ଼ା: ସେଲ୍ଫି ହେଲା କାଳ, ଝୁଲା ପୋଲରୁ ଖସି ଯୁବକ ମୃତ

ରାୟଗଡ଼ା: ଆଜି ସକାଳେ ଆନ୍ଧ୍ରପ୍ରଦେଶରୁ ରାୟଗଡ଼ା ଜିଲ୍ଲା ମଝି ଘରିଆଣି ମନ୍ଦିରକୁ ଦେବୀ ଦର୍ଶନ ପାଇଁ ଆସିଥିବା ଜଣେ ଯୁବକଙ୍କ ପାଇଁ ନାଗାବଳୀ ନଦୀରେ ଥିବା ଝୁଲା ପୋଲ ଉପରେ ସେଲ୍ଫି ନେବା କାଳ ହୋଇଛି। ସେଲଫି ନେବା ବେଳେ ଗୋଡ଼ ଖସିଯିବାରୁ ନଦୀରେ ପଡ଼ି ଯୁବକଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଅଗ୍ନିଶମ ସେବା କେନ୍ଦ୍ରର କର୍ମଚାରୀମାନେ ଗଭୀର ଜଳରୁ ତାଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ସୂଚନାଯୋଗ୍ୟ ଯେ ଯେଉଁ ସ୍ଥାନରେ ଯୁବକ ଜଣକ ଝୁଲାପୋଲରୁ ଖସି ମୃତ୍ୟୁବରଣ କରିଥଲେ ସେହି ସ୍ଥାନରେ ଗତ ୪ ବର୍ଷ ମଧ୍ୟରେ ମୋଟ ୨୬ ଜଣଙ୍କର ମୃତ୍ୟ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଆନ୍ଧ୍ରପ୍ରଦେଶର କତାଓ୍ୱାଲସା ଅଞ୍ଚଳରୁ ଆଜି କେତେକ ଶ୍ରଦ୍ଧାଳୁ ପ୍ରସିଦ୍ଧ ମା ମଝିଘରିଆଣି ମନ୍ଦିର ଦର୍ଶନ ପାଇଁ ଆସିଥିଲେ। ତେବେ ଦର୍ଶନ ପରେ ଏହି ପର୍ଯ୍ୟଟକମାନେ ନାଗାବଳୀ ନଦୀ ଉପରେ ହୋଇଥିବା ଝୁଲା ପୋଲ ଦେଖିବାକୁ ଯାଇଥିଲେ। ସେଠାରେ ଗଙ୍ଗା ରାଜୁ ନାମକ ଜଣେ ଯୁବକ ଚଢ଼ି ସେଲ୍‌ଫି ନେଉଥିବା ବେଳେ ହଠାତ ଭାରସାମ୍ୟ ହରାଇ ନଦୀ ଭିତରକୁ ଖସି ପଡ଼ିଥିଲେ। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାୀମାନେ ଆସି ତାଙ୍କୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳକୁ ଶ୍ରୀ ରାଜୁଙ୍କର ମୃତ୍ୟୁ ଘଟି ସାରିଥିଲା।

ସମ୍ବନ୍ଧିତ ଖବର