ଭଞ୍ଜନଗର: ବିଦ୍ୟୁତ ଟ୍ରାନ୍ସଫରମରରେ ଲାଗି ଯୁବକ ମୃତ, ରାସ୍ତାରୋକ

ଭଞ୍ଜନଗର: ଆଜି ସକାଳେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ମହୁଲପାଲି ପଞ୍ଚାୟତର ଭାଲିଆଖାଇ ଗାଁରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତୁରନ୍ତ ଘର ପାଖରେ  ଥିବା ଟ୍ରାନ୍ସଫରମର ଅନ୍ୟତ୍ର ସ୍ଥାନାନ୍ତର ସହିତ ମୃତ ପରିବାରକୁ  ଉପଯୁକ୍ତ କ୍ଷତିପୂରଣ ଦେବା ଦାବିରେ ଆଜି ସକାଳୁ ଗ୍ରାମବାସୀମାନେ ବ୍ରହ୍ମପୁର- ଭଞ୍ଜନଗର ରାସ୍ତା ଅବରୋଧ କରି ରଖିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଭାଲିଆଖାଇ ଗାଁର କଦାଳ ଭୂୟାଁଙ୍କ ଘର ପାଖରେ  ଥିବା ବିଦ୍ୟୁତ ଖୁଣ୍ଟରେ  ଏକ ଛୋଟ୍‌ ଟ୍ରାନ୍ସଫରମର ବସିଛି। ଆଜି ସକାଳେ ଶ୍ରୀ ଭୂୟାଁ ଘର କାମ ପାଇଁ ଏକ ଲୁହା ପାଇପ ଧରି ଯାଉଥିବା ବେଳେ ଅସାବଧାନତାବଶତଃ ଏହି ଲୁହା ପାଇପ୍‌ଟି ଟ୍ରାନ୍ସଫରମର ସହିତ ଲାଗି ଯାଇଥିଲା। ଫଳରେ ବିଦ୍ୟୁତ ଆଘାତ ପାଇ ଶ୍ରୀ ଭୂୟାଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।    ତେବେ ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘର ପାଖରେ ବିଦ୍ୟୁତ ଟ୍ରାନ୍ସଫରମର ବସାଇବାକୁ ଲୋକେ ବିରୋଧ କରିବା ସହିତ ଏହାକୁ ତୁରନ୍ତ ସେଠାରୁ ଉଠାଇ ନେବାକୁ ଦାବି କରିଥିଲେ। ପରେ ମୃତ ଶ୍ରୀ ଭୂୟାଁଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ଦାବିରେ ଲୋକେ ଟାୟାର ଜାଳି ବ୍ରହ୍ମପୁର- ଭଞ୍ଜନଗର ରାସ୍ତା ଅବରୋଧ କରି ରଖିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର