ସାବିତ୍ରୀ ବ୍ରତରେ ବିଦ୍ୟୁତ ଆଘାତରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

0 1,759

ସମ୍ବଲପୁର:ସମ୍ବଲପୁର କମିସନର କଲୋନିରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ସାବିତ୍ରୀ ଅମବାସ୍ୟାରେ ଆଜି ସମଗ୍ର ରାଜ୍ୟରେ ପତ୍ନୀମାନେ ସାବିତ୍ରୀ ବ୍ରତ ପାଳନ କରି ସ୍ୱାମୀମାନଙ୍କ ଦୀର୍ଘ ଜୀବନ କାମନା କରୁଥିବା ବେଳେ ଏହି ଦିନରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କୁ ହରାଇଥିବାର ଦୁଃଖଦ ଘଟଣା ଘଟିଛି। ମହିଳାଙ୍କ ଆଖି ଆଗରେ ଆକସ୍ମିକ ଭାବେ ବିଦ୍ୟୁତ ଆଘାତରେ ସ୍ୱାମୀଙ୍କର ମୃତ୍ୟୁ ଘଟିଛି। କେବଳ ସେତିକି ନୁହେଁ, ଏଥିରେ ପତ୍ନୀ ଓ ତାଙ୍କ ଘରୋି ସହାୟିକା ଗୁରୁତର ଭାବେ ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁର ଆରଡିସିଙ୍କ କାର୍ଯ୍ୟାଳୟରେ ବୃନ୍ଦାବନ ପ୍ରଧାନ( ୪୬ ବର୍ଷ) ଜଣେ ବରିଷ୍ଠ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି। ଆଜି ତାଙ୍କ ପତ୍ନୀ ସରୋଜିନୀ ପ୍ରଧାନ(୪୦ ବର୍ଷ) ସାବିତ୍ରୀ ପୂଜା ସାରି ଘର ଛାତ ଉପରକୁ ଲୁଗା ଶୁଖାଇବାକୁ ଯାଇଥିିବା ବେଳେ ଛାତ ଉପରେ ଥିବା ସର୍ଭିସ ତାରରେ ଅସାବଧାନତାବଶତଃ ଓଦା ଲୁଗା ବାଜି ଯିବାକୁ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ପତ୍ନୀଙ୍କ ଚିତ୍କାର ଶୁଣି ସ୍ୱାମୀ ତାଙ୍କୁ ବଞ୍ଚାଇବାକୁ ଯାଇ ସର୍ଭିସ ତାରଟିକୁ ଟାଣି ଦେବାରୁଏହା ଶ୍ରୀ ପ୍ରଧାନଙ୍କ ଦେହରେ ଗୁଡ଼ାଇ ହୋଇ ଯାଇଥିଲା। ସେହିପରି ପତିପତ୍ନୀଙ୍କ ପାଟି ଶୁଣି ତାଙ୍କ ଘରୋଇ ସହାୟିକା ଯଜ୍ଞ ସାହୁ(୪୦ ବର୍ଷ) ଆସୁ ଉଭୟଙ୍କୁ ରକ୍ଷା କରିବା ପାଇଁ ଚେଷ୍ଟା କରୁଥିବା ବେଳେ ସେ ମଧ୍ୟ ବିଦ୍ୟୁତ ଆଘାତ ପାଇଥିଲେ। ସମସ୍ତଙ୍କୁ ଉଦ୍ଧାର କରି ସମ୍ବଲପୁର ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସ୍ୱାମୀ ବୃନ୍ଦାବନ ପ୍ରଧାନଙ୍କ ମୃତ ଘୋଷଣା କରିଛନ୍ତି। ପତ୍ନୀ ଶ୍ରୀମତୀ ପ୍ରଧାନ ଓ ଘରୋଇ ସହାୟିକା ଶ୍ରୀମତୀ ସାହୁ ସଦର ଡାକ୍ତରଖାନାରେ ଚିକତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.