ଟିକ୍‌ଟକ୍‌ ଭିଡିଓ ମାୟାରେ ବାୟା ! ଘର ଛାତ ଉପରୁ ଭିଡିଓ ବନାଉଥିଲା ବେଳେ ତଳକୁ ଖସି ପଡ଼ିଲେ ଯୁବକ

ରାଉରକେଲା: ସୋସିଆଲ ମିଡିଆରେ ଟିକ୍‌ଟକ୍‌  ଭିଡିଓ ମାୟାରେ ବାୟା ଆବାଳବୃଦ୍ଧବନୀତା । ପ୍ରତିଦିନ ସୋସିଆଲ ମିଡିଆରେ ନୂଆନୂଆ ଟିକ୍‌ଟକ୍‌ ଭିଡିଓ ଦେଖିବାକୁ ମିଳିଥାଏ। ତେବେ ରାଉରକେଲାର ସେକ୍ଟର-୬ ଆରଏସ୍‌ପି କ୍ୱାର୍ଟର୍ସରେ ରହୁଥିବା ଜଣେ ଯୁବକଙ୍କୁ ଟିକ୍‌ଟକ୍‌ ଭିଡିଓ ବନାଇବା ମହଙ୍ଗା ପଡ଼ିଛି।

ସୂଚନାଯୋଗ୍ୟ, ରାଉରକେଲା ସେକ୍ଟର-୬ ଗୋଲଘର ଜି ବ୍ଲକରେ ରହୁଥିବା ଅନିଲ ଗୋଚ୍ଛାୟତ (୧୯) ମଙ୍ଗଳବାର ଅପରାହ୍ନରେ ଘର ଛାତ ଉପରେ ତାଙ୍କର ଜଣେ ସାଙ୍ଗ ସହିତ ଟିକ୍‌ଟକ୍‌ ଭିଡିଓ ବନାଉଥିଲେ। ଏହି ସମୟରେ ଅସାବଧାନତା ହେତୁ ଛାତରୁ ସେ ତଳକୁ ଖସି ପଡ଼ିଥିଲେ। ଏହି ଦୁର୍ଘଟଣାରେ ତାଙ୍କ ମୁଣ୍ଡ ପଛପାର୍ଶ୍ୱରେ ଗଭୀର ଆଘାତ ଲାଗିଥିଲା। ଅନିଲଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ସଙ୍ଗେସଙ୍ଗେ ଆଇଜିଏଚକୁ ସ୍ଥାନାନ୍ତର କରାଯାଇଥିଲା।

ତେବେ ଟିକ୍‌ଟକ୍‌ ବନାଇ ଏମିତି ଦୁର୍ଘଟଣାର ସମ୍ମୁଖୀନ ହେବା ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ବି ଟିକ୍‌ଟକ୍‌ ଭିଡିଓ ମାୟାରେ ବାୟା ହୋଇ ଅନେକଙ୍କ ଜୀବନ ଚାଲି ଯାଇଥିବା ବେଳେ ଅନେକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ।

ସମ୍ବନ୍ଧିତ ଖବର