ସମ୍ବଲପୁର: କୋର୍ଟ ଭିତରେ ୪ଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଅଟକ

 

ସମ୍ବଲପୁର: ଆଜି ସମ୍ବଲପୁର ପରିବାର କୋର୍ଟରେ ଏକ ଅଭାବନୀୟ ଘଟଣା ଘଟିଛି। କୋର୍ଟ ପରିସରରେ ଓକିଲଙ୍କ ସମ୍ମୁଖରେ ଅଭିଯୁକ୍ତ  ଜଣେ ଯୁବକ୪ ଜଣଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ୪ ଜଣଙ୍କୁ  ସମ୍ବଲପୁର ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତଙ୍କ ଆକ୍ରମଣରେ  ନିଳିମା ପଣ୍ଡା ନାମକ ଜଣେ ମହିଳା ଆଡ୍‌ଭୋକେଟ୍‌ ମଧ୍ୟ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ସିନ୍ଦୁରପଙ୍କ କେନାଲପଡ଼ାର ରମେଶ କୁମ୍ଭାର ଗତ ୨୦୧୭ ମସିହାରେ ସେହି ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ ଓ ତାଙ୍କୁ  ଅପହରଣ କରି ନେଇ ପଳାଇ ଯାଇଥିଲେ। ମାତ୍ର କିଛି ଦିନ ପରେ ଯୁବତୀଜଣକ  ରମେଶଙ୍କ କବଳରୁ ବାହାରି ଘରେ ପହଞ୍ଚିଥିଲେ। ଏହାର କିଛି ଦିନ ପରେ  ଯୁବତୀଙ୍କ ପରିବାର ତାଙ୍କର ଅନ୍ୟତ୍ର ବିବାହ କରି ଦେଇଥିଲେ। ତେବେ ରମେଶ  ସମ୍ବଲପୁର ପରିବାର କୋର୍ଟରେ ଅଭିଯୋଗ କରିଥିଲେ ଯେ ତାଙ୍କ ପତ୍ନୀଙ୍କୁ  ତାଙ୍କ ପରିବାର ଲୋକେ ଘର ଭିତରେ ବନ୍ଧକ ରଖିଛନ୍ତି। । ଏ ନେଇ ପରିବାର କୋର୍ଟ ଯୁବତୀଙ୍କ ପରିବାରକୁ ନୋଟିସ ଜାରି କରିଥିଲେ। ଆଜି ଦିନ ପ୍ରାୟ ୧୦ଟା ବେଳେ ଯୁବତୀ, ତାଙ୍କ ବାପା , ମାଆ ଓ ତାଙ୍କ ୫ ବର୍ଷର ଝିଆରୀଙ୍କ ସହିତ ଆସି ପରିବାର କୋର୍ଟରେ  ପହଞ୍ଚିବା ମାତ୍ରେ  ରମେଶ ଏକ ଖଣ୍ଡାରେ ସେମାନଙ୍କୁ ଆକ୍ରମଣ କରିଥିଲା।ଏପରିକି ଯୁବତୀଙ୍କ ମହିଳା ଓକିଲଙ୍କୁ ମଧ୍ୟ  ରମେଶ ଆକ୍ରମଣ କରିଥିଲେ।ରମେଶଙ୍କ ଏପରି ଉନ୍ମତ କାଣ୍ଡରେ ସେଠାରେ ଉପସ୍ଥିତ ଲୋକେ ସ୍ତବ୍ଧ ହୋଇଯାଇଥିଲେ ମଧ୍ୟ ଅନ୍ୟ ଆଇନଜୀବୀମାନେ ପହଞ୍ଚି ତାଙ୍କୁ କାବୁ କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଥାନାକୁ ନେବା ସହି ଆହତମାନଙ୍କୁ ସମ୍ବଲପୁର ସଦର ଡାକ୍ତରଖାନାରେ ଭର୍ତ୍ତି କରିଛି। ସମସ୍ତ ଆହତମାନଙ୍କର ଅସ୍ତ୍ରୋପଚାର ଚାଲିଥିିବା ଜଣାଯାଇଛି।

ସମ୍ବନ୍ଧିତ ଖବର