ଦୁଃଖ: ପରିବାର ପୋଷିବାକୁ ପଡୋଶୀ ଜିଲ୍ଲାକୁ ଯାଇଥିଲେ ଦାଦନ ଖଟି, ହେଲେ ସାପ କାମୁଡାରେ ଘଟିଲା ମୃତ୍ୟୁ

ଅନାଥ ପିଲାଙ୍କ ଭିବଷ୍ୟତ ଏବେ ଅନ୍ଧକାରରେ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଉମୁରାହାଣ୍ଡି ଗ୍ରାମର ଗଙ୍ଗାଧର ଭତରା ପରିବାର ଚଳାଇବାକୁ ପଡୋଶୀ ରାୟଗଡ଼ା ଜିଲ୍ଲାକୁ ଦାଦନ ଖଟିବାକୁ ଯାଇଥିଲେ। ବିଷଧର ସାପ କାମୁଡ଼ାରେ ତାଙ୍କର ମୃତ୍ୟୁ ଘଟିଛି। ସାପ କାମୁଡିବା ପରେ ଗଙ୍ଗାଧରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନ ନେଇ ଦେଶୀ ଚିକିତ୍ସା କରାଯାଇଥିଲା। ପରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି।

ଦାଦନ ଖଟାଇବା ପାଇଁ ନେଇଥିବା ଦଲାଲ୍‌ ଜଣକ ଉପଯୁକ୍ତ ଚିକିତ୍ସାର ବ୍ୟବସ୍ଥା ନ କରି ଦେଶୀ ଚିକିତ୍ସା ପରେ ଗଙ୍ଗାଧରଙ୍କୁ ଏକ ଏମ୍ବୁଲାନ୍‌ସ ଯୋଗେ ରାୟଗଡ଼ା ଜିଲ୍ଲାର ଗୁଣୁପୁର ଠାରୁ ଡାବୁଗାଁ ପଠାଇ ଥିଲା। ବାଟରେ ଗଙ୍ଗାଧର ଭତରାଙ୍କର ମୃତ୍ୟୁ ଘଟିଥିଲା। ଡାବୁଗାଁରେ ଗଙ୍ଗାଧରଙ୍କର ମୃତଦେହ ପହଞ୍ଚିବା ପରେ ସମ୍ପର୍କୀୟ ଲଛୁ ଭତରା ଥାନାରେ ଏତଲା ଦେଇଛନ୍ତି। ପୁଲିସ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ଉମୁରାହାଣ୍ଡି ଗ୍ରାମର ଗଙ୍ଗାଧର (୪୦) ନିଜ ଗ୍ରାମର ୮ ଜଣ ସାଥୀଙ୍କ ସହ ମିଶି ଦାଦନ ଖଟିବାକୁ ରାୟଗଡ଼ା ଜିଲ୍ଲାର ଗୁଣୁପୁର ନିକଟ ଜାଲାର ସିଂ ଗ୍ରାମକୁ ଗତ ଅଗଷ୍ଟ ମାସରେ ଯାଇଥିଲେ। ସେଠାରେ ସେ ଏକ କ୍ୟାମ୍ପରେ ଏକତ୍ର ରହି କୁଲି କାମ କରୁଥିଲେ। ତେବେ ଗତ ଶନିବାର ଭୋର ୩ଟାରେ ସମସ୍ତେ ଶୋଇଥିବା ଅବସ୍ଥାରେ ଏକ ବିଷଧର ସାପ ଗଙ୍ଗାଧରଙ୍କର ବାମ ପେଟରେ କାମୁଡି ଦେଇଥିଲା। ଗଙ୍ଗାଧର ଏହା ଜାଣି ପାରି ସାଥିରେ ଶୋଇଥିବା ତାଙ୍କ ଉମୁରାହାଣ୍ଡିର ସମସ୍ତଙ୍କୁ ଜଣାଇଥିଲେ।। ତାଙ୍କ ନିକଟରେ ଟଙ୍କା ନଥିବାରୁ ଗଙ୍ଗାଧରଙ୍କୁ କିପରି ଚିକିତ୍ସା କରାଯାଇ ପାରିବ ସେ ନେଇ ସାଥୀମାନେ ଚିନ୍ତାରେ ପଡ଼ିଥିଲେ। ଏହାପରେ କୁଲି କାମ କରିବାକୁ ଡାକି ନେଇଥିବା ଗୁଣୁପୁରର ଦଲାଲଙ୍କୁ ସମସ୍ତ ଘଟଣା ଜଣାଇଥିଲେ।

ଗଙ୍ଗାଧରଙ୍କ ମୃତ୍ୟୁ ପରେ ତାଙ୍କର ପରିବାର ବେସାହାରା ହୋଇଯାଇଛି। ଗଙ୍ଗାଧର ଭତରାଙ୍କର ସ୍ତ୍ରୀ ୭ ବର୍ଷ ପୂର୍ବରୁ ପରଲୋକ ଗମନ କରିଛନ୍ତି। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ପୁଅ ଦଶମ ଶ୍ରେଣୀରେ ପଢୁଥିବା ବେଳେ ଝିଅ ସପ୍ତମ ଶ୍ରେଣୀରେ ପଢ଼ୁ ଅଛି। ଗ୍ରାମରେ କାମ ଧନ୍ଦା ନ ପାଇ ପୁଅ ଝିଅଙ୍କ ଭବିଷ୍ୟତ ଗଢ଼ିବାକୁ ସ୍ୱପ୍ନ ଦେଖି ଗଙ୍ଗାଧର ଟଙ୍କା ରୋଜଗାର କରିବାକୁ ଦାଦନ ଖଟିବାକୁ ଯାଇ ଏପରି ଅପ୍ରସାୟିତ ମୃତ୍ୟୁର ଶିକାର ହୋଇଛନ୍ତି। ଏବେ ପୁଅ ଝିଅ କେମିତି ବଡ଼ ହେବେ ତାହା ହିଁ ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର