ସମ୍ବଲପୁରରେ ଚାଞ୍ଚଲ୍ୟ : କୋର୍ଟ ଭିତରେ ଖଣ୍ଡାରେ ହାଣି ଯୁବତୀଙ୍କୁ ହତ୍ୟା, ଅଭିଯୁକ୍ତ ଅଟକ

ସମ୍ବଲପୁର: ଆଜି ସମ୍ବଲପୁର ପରିବାର କୋର୍ଟ ପରିସରରେ ଓକିଲଙ୍କ ସମ୍ମୁଖରେ ଜଣେ ଅଭିଯୁକ୍ତ  ଯୁବକ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି। ନିଜର ପତ୍ନୀ ବୋଲି ଦାବି କରୁଥିବା ସଞ୍ଜିତା ଓରଫ ସଙ୍ଗୀତା ଚୌଧୁରୀଙ୍କୁ ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ସିନ୍ଦୁରପଙ୍କ କେନାଲପଡ଼ାର ରମେଶ କୁମ୍ଭାର ନାମକ ଜଣେ  ଯୁବକ ଖଣ୍ଡାରେ ହାଣି ହତ୍ୟା  କରିଛନ୍ତି। ଯୁବକଙ୍କ ଆକ୍ରମଣରେ ଗୁରୁତର ସଙ୍ଗୀତାଙ୍କ ବାପା, ମାଆ ମୃତ୍ୟୁ ସହିତ ବୁର୍ଲା ବଡ଼ ଡାକ୍ତରଖାନାରେ ସଂଘର୍ଷ କରୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ସିନ୍ଦୁରପଙ୍କ କେନାଲପଡ଼ାର ରମେଶ କୁମ୍ଭାର ଗତ ୨୦୧୭ ମସିହାରେ ସେହି ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ ଓ ତାଙ୍କୁ  ଅପହରଣ କରି ନେଇ ପଳାଇ ଯାଇଥିଲେ। ମାତ୍ର କିଛି ଦିନ ପରେ ଯୁବତୀଜଣକ  ରମେଶଙ୍କ କବଳରୁ ବାହାରି ଘରେ ପହଞ୍ଚିଥିଲେ। ଏହାର କିଛି ଦିନ ପରେ  ଯୁବତୀଙ୍କ ପରିବାର ତାଙ୍କର ଅନ୍ୟତ୍ର ବିବାହ କରି ଦେଇଥିଲେ। ତେବେ ରମେଶ  ସଙ୍ଗୀତାଙ୍କୁ ନିଜର ପତ୍ନୀ ବୋଲି ଦାବି କରୁଥିଲେ ଓ  ସମ୍ବଲପୁର ପରିବାର କୋର୍ଟରେ ଅଭିଯୋଗ କରିଥିଲେ ଯେ ତାଙ୍କ ପତ୍ନୀଙ୍କୁ  ତାଙ୍କ ପରିବାର ଲୋକେ ଘର ଭିତରେ ବନ୍ଧକ ରଖିଛନ୍ତି। ।

ଏ ନେଇ ପରିବାର କୋର୍ଟ ସଙ୍ଗୀତାଙ୍କ ପରିବାରକୁ ନୋଟିସ ଜାରି କରିଥିଲେ। ଆଜି ଦିନ ପ୍ରାୟ ୧୦ଟା ବେଳେ ସଙ୍ଗୀତା, ତାଙ୍କ ବାପା ଫୁଦନ ଚୌଧୁରୀ,   ମାଆ ଲଳିତା ଚୌଧୁରୀ ଓ ତାଙ୍କ ୫ ବର୍ଷର ଝିଆରୀଙ୍କ ସହିତ ଆସି ପରିବାର କୋର୍ଟରେ  ପହଞ୍ଚିବା ମାତ୍ରେ  ରମେଶ ଏକ ଖଣ୍ଡାରେ ସେମାନଙ୍କୁ ଆକ୍ରମଣ କରିଥିଲା। ଏପରିକି ଯୁବତୀଙ୍କ ମହିଳା ଓକିଲଙ୍କୁ ମଧ୍ୟ  ରମେଶ ଆକ୍ରମଣ କରିଥିଲେ। ରମେଶଙ୍କ ଏପରି ଉନ୍ମତ୍ତ କାଣ୍ଡରେ ସେଠାରେ ଉପସ୍ଥିତ ଲୋକେ ସ୍ତବ୍ଧ ହୋଇଯାଇଥିଲେ ମଧ୍ୟ ଅନ୍ୟ ଆଇନଜୀବୀମାନେ ପହଞ୍ଚି ତାଙ୍କୁ କାବୁ କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଥାନାକୁ ନେବା ସହି ଆହତମାନଙ୍କୁ ସମ୍ବଲପୁର ସଦର ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା  ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଳା।  ସେଠାରେ ଚିକିତ୍ସିତ ଅବସ୍ଥାରେ ସଙ୍ଗୀତାଙ୍କର ମୃତ୍ୟୁ ଘଟିଛି। ସଙ୍ଗୀତାଙ୍କ ମାଆ ଲଳିତାଙ୍କ ଅବସ୍ଥା ଗୁରୂୁତର ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର