ବଣାଇ: ପ୍ରେମ ବିବାହର ଦେଢ଼ ବର୍ଷ ପରେ ପତ୍ନୀଙ୍କୁ ବୀଭତ୍ସଭାବେ ହାଣି ହତ୍ୟା କଲେ ସ୍ୱାମୀ

ବଣାଇ: ପ୍ରାୟ ଦେଢ଼ ବର୍ଷ ତଳେ ପରସ୍ପରକୁ ଭଲ ପାଇ ଘର ଛାଡ଼ି ପଳାଇ ଯାଇଥିଲେ ପ୍ରେମୀ ଯୁଗଳ। କିଛି ଦିନ ବାହାରେ ବୁଲିବା ପରେ ସାଙ୍ଗରେ ଏକ ଶିଶୁପୁତ୍ରକୁ ଧରି ଗାଁକୁ ଫେରିଥିଲେ ଉଭୟ ସ୍ୱାମୀସ୍ତ୍ରୀ ଭାବେ। ଛୋଟ ଶିଶୁଟିକୁ ଦେଖି ପରିବାର ଲୋକେ ପୂର୍ବ ରାଗ ଅଭିମାନ ଭୁଲି ସମସ୍ତଙ୍କୁ ଆଦରି ନେଇଥିଲେ। ତେବେ ଧୀରେ ଧୀରେ ଆର୍ଥିକ ଅବସ୍ଥା ଖରାପ ହେବାରୁ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ବଢ଼ିଥିଲା। ଏହାକୁ ନେଇ ସବୁବେଳେ ଘରେ ପାଟିତୁଣ୍ଡ ଲାଗି ରହିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଉଭୟଙ୍କ ବୟସ ମାତ୍ର ୨୦ ବର୍ଷ ହୋଇଥିବାରୁ କଞ୍ଚା ବୟସରେ ପରିସ୍ଥିତିକୁ ବୁଝିବା ପାଇ ଉଭୟ ଅପ୍ରସ୍ତୁତ ଥିଲେ। ତେବେ ଶ୍ୱଶୁର ଘରୁ ଟଙ୍କା ଆଣିବାକୁ ଯୁବକ ଜଣକ ପିତ୍ନୀଙ୍କୁ କହିବାରୁ ଏହକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ସ୍ୱାମୀ ଘର ଭିତରେ ଥିବା ଏକ ଟାଙ୍ଗିଆରେ ପତ୍ନୀକୁ ଅ୍ରତି ବୀଭତ୍ସଭାବେ ହାଣି ହତ୍ୟା କରିଛି। ହତ୍ୟାକାଣ୍ଡର ପ୍ରାୟ ୮/୯ ଘଣ୍ଟାପରେ ପୁଲିସ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଧରି ଥାନାକୁ ଆଣିଛି। ଆଜି ସକାଳେ ରାଉରକେଲାରୁ ସାଇଣ୍ଟିଫିକ୍‌ ଟିମ୍‌ ଆସି ଯାଞ୍ଚ କରିବା ପରେ ଶବ ବ୍ୟବଛେଦ ପାଇଁ ପଠାଯିବ ବୋଲି ସୁନ୍ଦରଗଡ଼ ଟିକାୟତପାଲିି ଥାନା ପୁଲିସ କହିଛି।


ମିଳିଥିବା ସୂଚନାରୁ ପ୍ରକାଶ ଯେ,ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ ଚିକଟନାଳି ଗାଁର ଗାଣ୍ଡୁଆ ଓରାମ(୨୦ ବର୍ଷ) ତାଙ୍କ ମାମୁଁ ଗାଁ ଲହୁଣିପଡ଼ି ଥାନା ଅନ୍ତର୍ଗତ କେନ୍ଦୁଡିହି ଗାଁକୁ ଯିବା ଆସିବା କରିବା ମଧ୍ୟରେ ସେହି ଗ୍ରାମର ବିନିତା ଓରାମ(୨୦ ବର୍ଷ) ନାମକ ଜଣେ ଯୁବତୀଙ୍କୁ ଭଲ ପାଇ ବସିଥିଲେ। ଉଭୟ ପରସ୍ପରକୁ ଭଲ ପାଇ ପ୍ରାୟ ଦେଢ଼ ବର୍ଷ ତଳେ ଗାଁ ଛାଡ଼ି ବାହାରକୁ ପଳାଇ ଯାଇଥିଲେ। ଗତ କିଛି ଦିନ ତଳେ ସେମାନେ ଗାଁକୁ ଫେରିଥିଲେ। ଗାଣ୍ଡୁୁଆ ଓ ବିନିତାଙ୍କର ଏକ ୩ ମାସର ପୁତ୍ର ସନ୍ତାନ ଅଛି। ତେବେ ଗତକାଲି ଅପରାଣ ୪ଟା ବେଳେ ଯୌତୁକ ଟଙ୍କାକୁ କେନ୍ଦ୍ର କରି ଗାଣ୍ଡୁୁଆ ପତ୍ନୀ ବିନିତାଙ୍କୁ ଏକ ଟାଙ୍ଗିଆରେ ହାଣିହତୃା କରିଥିବା ଅଭିଯୋଗ ହୋଇଛି। ରାତି ପ୍ରାୟ ୧ଟା ବେଳେ ଏ ସମ୍ପର୍କରେ ପୁଲିସ ଖବର ପାଇ ଅଭିଯୁକ୍ତ ଗାଣ୍ଡୁଆଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା ଆରମ୍ଭ କରିଛି।

ସମ୍ବନ୍ଧିତ ଖବର