କୁଜଙ୍ଗ: ବିୟର ବୋତଲରେ ଭୁସି ଯୁବକଙ୍କୁ ହତ୍ୟା

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବନିପାଟ ଗାଁରେ ଗତକାଲି ରାତିରେ ଜଣେ ଯୁବକଙ୍କୁ କେତେକ ଦୁର୍ବୃତ୍ତ ନୃଶଂସଭାବେ ହତ୍ୟା କରିଛନ୍ତି। ଯୁବକ ଜଣକ ଘରକୁ ଫେରୁଥିବା ବେଳେ ବାଟରେ ତାଙ୍କୁ ୩ ଜଣ ଯୁବକ ଅଟକାଇଥିଲେ। କୌଣସି କାରଣରୁ ବଚସା ହେବା ପରେ ଦୁର୍ବୃତ୍ତମାନେ ଯୁବକଙ୍କ ପେଟରେ ବିୟର ବୋତଲ ଭୁସି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ପୁଲିସ ଜଣେ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବନିପାଟ ଗାଁର ରମେଶ ପରିଡ଼ାଙ୍କ ପୁଅ ରଞ୍ଜନ ପରିଡ଼ା(୩୨ ବର୍ଷ) ପାରାଦୀପରେ ବ୍ୟବସାୟ କରନ୍ତି। ସେ ଗାଁ ମୁଣ୍ଡରେ ଏକ ହନୁମାନ ମୂର୍ତ୍ତି ପ୍ରତିଷ୍ଠା ମଧ୍ୟ କରିଛନ୍ତି। ସବୁଦିନ ପରି ଗତକାଲି ରାତି ପ୍ରାୟ ୧୧ଟାରୁ ସାଢ଼େ ୧୧ଟା ମଧ୍ୟରେ ରଞ୍ଜନ ଘରକୁ ଫେରିବା ବାଟରେ ଗାଁ ମୁଣ୍ଡ ହନୁମାନ ମୂର୍ତ୍ତିଙ୍କୁ ପ୍ରଣାମ କରି ଗାଁ ଭିତରକୁ ଯାଇଥିଲେ। ପରେ ତାଙ୍କୁ ଭୋଜି କରୁଥିବା ୩ ଜଣ ଯୁବକ ଅଟକାଇଥିଲେ। କୌଣସି କାରଣରୁ ସେମାନଙ୍କ ମଧ୍ୟରେ ବଚସା ହେବାରୁ ଦୁର୍ବୃତ୍ତମାନେ ଏକ ବିୟର ବୋତଲ ତାଙ୍କ ପେଟରେ ଭୁସି ଦେଇଥିଲେ। ରଞ୍ଜନଙ୍କ ଚିତ୍କାର ଶୁଣି ଗାଁ ଲୋକେ ଦୌଡ଼ି ଆସି ତାଙ୍କୁ ଉଦ୍ଧାର କରି କଟକ ନେଉଥିବା ବେଳେ ତିର୍ତ୍ତୋଲ ନିକଟରେ ତାଙ୍କର ମତ୍ୟୁ ଘଟିଥିଲା। ଏହି ଘଟଣା ପରେ ଗାଁରେ ଉତ୍ତେଜନା ଦେଖାଦେଇଛି।

ସମ୍ବନ୍ଧିତ ଖବର